ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଡ. କରଣ ସିଂହ ସୁଟିଂ ରେଞ୍ଜରେ ଚାଲିଛି ପାରା ସୁଟିଂ ବିଶ୍ୱକପ୍ । ଭାରତ ପ୍ରଥମ ଥର ପାଇଁ ପାରା ସୁଟିଂ ବିଶ୍ୱକପ ଆୟୋଜନ କରୁଛି । ଏହି କ୍ରୀଡ଼ାରେ ମୋଟ୍ ୪୪ ଦେଶର ୨୬୭ ଶୁଟର ଅଂଶଗ୍ରହଣ କରିଛନ୍ତି । ଏହି ପାରା ସୁଟିଂ ବିଶ୍ୱକପରେ ମିଶ୍ରିତ ଦଳଗତ ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍ଏଚ୍-୧ ବର୍ଗରେ ଭାରତର ମୋନା ଅଗ୍ରୱାଲ ଓ ଆଦିତ୍ୟ ଗିରି ରୌପ୍ୟ ପଦକ ଜିତିଛନ୍ତି । ପ୍ରତିଯୋଗିତାରେ ମୋନା ଦ୍ୱିତୀୟ ପଦକ ଜିତିଥିବା ବେଳେ ରବିବାର ଭାରତୀୟ ପାରା ସୁଟରମାନେ ୨ଟି ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ । ସେହିପରି ୧ମିଟର ଏୟାର ପିସ୍ତଲରେ ଏସ୍ଏଚ୍-୧ରେ ଟେକିଓ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ମନୀଷ ନରୱାଲ ଏବଂ ଯୋଡ଼ି ରୁବିନା ଫ୍ରାନ୍ସିସ୍ ୧୨-୧୬ରେ ଚୀନର ଲି ମିନ୍ ଏବଂ ୟାଙ୍ଗ ଚାଓଙ୍କ ଠାରୁ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିଲେ । ଅନ୍ୟତମ ଭାରତୀୟ ଭକ୍ତି ଶର୍ମା ଓ ରୁଦ୍ରାଂଶ ଖଣ୍ଡେୱାଲ ଯୋଡ଼ି କ୍ୟୁବା ଯୋଡ଼ି ୱାଇ ସୁଆରେଜ୍ ଓ ଲୋରିଗା ରୋଡିଗ୍ୱେଜଙ୍କୁ ୧୬-୮ରେ ପରାସ୍ତ କରି କାଂସ୍ୟ ପଦକ ଜିତିଥିଲେ ।