ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ ଏକ ବ୍ରିଜ୍ ତଳକୁ ଖସି ପଡ଼ିବା ଫଳରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି । ରାଜ୍ୟର ରାଜଗଡ଼ ଜିଲ୍ଲାରେ ଏହି ଅଘଟଣ ଘଟିଛି । ଏହା ପୂର୍ବରୁ ଚଳିତ ମାସରେ ମଧ୍ୟ ଉକ୍ତ ଅଞ୍ଚଳରେ ୩ ବଡ଼ ଦୁର୍ଘଟଣା ଘଟିଥିଲା । ରାଜଗଡ଼ ଜିଲ୍ଲାର ପଚୋର ଠାରେ ହୋଇଥିବା ବସ ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୪୧ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ୨.୩୦ ସମୟରେ ଏହି ଅଘଟଣ ଘଟିଥିଲା । ଇନ୍ଦୋରରୁ ଅଶୋକନଗର ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ୍ ଏକ ବ୍ରିଜ ତଳକୁ ଖସି ପଡ଼ିଥିଲା । ବସରେ ୪୩ ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ୪୧ ଜଣ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଏହା ପୂର୍ବରୁ ଗତ ୧୩ ତାରିଖରେ ସିବନୀ, ରାଜଗଡ଼ ଓ ଛିନ୍ଦୱାଡ଼ା ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ୩ଟି ସଡ଼କ ଦୁର୍ଘଟଣା ଘଟିଥିଲା । ଫଳରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହିତ ୨୪ ଜଣ ଆହତ ହୋଇଥିଲେ । ରାଜଗଡ଼ ଜିଲ୍ଲାରେ ପୀଲୁଖେଡ଼ୀ ଅଞ୍ଚଳରେ ଏନଏଚ-୪୬ରେ ଏକ ସେନା ଟ୍ରକ ଓ ଦୁଇଟି ଅନ୍ୟ ଯାନ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୫ ଜଣ ଆହତ ହୋଇଥିଲେ । ସେହିପରି ସିବନୀର ହିନୋତିୟା ଗ୍ରାମରେ ଏକ ଏସୟୁଭି ଓଲଟି ପଡ଼ିବା ଫଳରେ ବର-କନ୍ୟାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୫ ଜଣ ଆହତ ହୋଇଥିଲେ । ଛିନ୍ଦୱାଡ଼ା ଜିଲ୍ଲାର ମୁଆରୀ ଖଣି ନିକଟରେ ଏକ ଏସୟୁଭି ଓଲଟି ପଡ଼ିବା ଫଳରେ ୩ ଜଣ ମହିଳାଙ୍କର ମୃତ୍ୟୁ ଘଟିବା ସହିତ ୪ ଜଣ ଗମ୍ଭୀର ଭାବେ ଆହତ ହୋଇଥିଲେ ।