fbpx

ଖାଉଟିକୁ ଡରାଉଛି ଆଳୁଦର, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ, ରାଜ୍ୟବ୍ୟାପି ଗୋଟିଏ ଚିନ୍ତା କେବେ କମିବ!

ଓଡିଶା ଭାସ୍କର: ସାରା ରାଜ୍ୟରେ ଖାଉଟି ମନରେ ଗୋଟିଏ ଚିନ୍ତା, କେବେ କମିବ ଆଳୁଦର । କେଉଁଠି କିଲୋପିଛା ୪୦ ଟଙ୍କା ଅଛି ତ ପୁଣି କେଉଁଠି ଅର୍ଦ୍ଧଶତକ ହାସିଲ କରିଛି ଆଳୁ । ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର ବ୍ରହ୍ମପୁରରେ ଏହା ୪୫ ଟଙ୍କା ରହିଛି । ସେହିଭଳି କଟକ ଛତ୍ର ବଜାରରେ ଏହା ଅର୍ଦ୍ଧଶତକ ହାସଲ କରିଛି ପରିବା ବଜାରରେ । ସ୍ୱୟଂ ଯୋଗାଣମନ୍ତ୍ରୀଙ୍କ ତାଗିଦ ପରେ ବି ଏହାର ଦାମ କମୁନି । ଖୁଚୁରା ବ୍ୟବସାୟୀମାନେ ପୂର୍ବରୁ ଚଢା ଦରରେ ତାହାକୁ କିଣି ସାରିଥିବାରୁ ସେମାନେ ତାହାର ଦାମ ଭରଣ ପାଇଁ କମ ଦାମରେ ଆଳୁ ବିକ୍ରି କରି ପାରିବେ ନାହିଁ ବୋଲି ଜଣା ପଡିଛି ।

ସେପଟେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ମଧ୍ୟ ରାଜ୍ୟକୁ ଆଳୁ ଆସିବା ସ୍ୱାଭାବିକ ହୋଇ ପାରି ନାହିଁ । ଫଳରେ ବଜାରରେ ଦାମ କମୁନି ବରଂ ହୁତହୁତ ହୋଇ ବଢୁଛି । ଯାହା ଖାଉଟିଙ୍କ ପରିବା ମୁଣି ପାଇଁ ବୋଝ ସାଜିଛି । ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମକୁ ପ୍ରାୟ ୨୩ ଟି ଆଳୁ ବୋଝେଇ ଗାଡି ପଶ୍ଚିମବଙ୍ଗରୁ ଆସିଛି । ଯାହା ସମୁଦ୍ରଙ୍କୁ ଶଙ୍ଖେ । ଏହା ୩ ଦିନ ଭୁବନେଶ୍ୱରବାସୀଙ୍କ ଦୈନିକ ରୋଷେଇରେ ସାମିଲ ହୋଇ ପାରିବ ।
ଏହାବାଦ ରାଜ୍ୟରେ ଆଳୁର ଅଭାବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଥିଲେ । ଯାହା ଶୀଘ୍ର ଏହି ଅଭାବକୁ ପୂରଣ କରିବ ବୋଲି ସାଧାରଣ ଜନତା ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.