fbpx

ବଡ଼ ଖବର; ଲୋକସଭା ନିର୍ବାଚନ ଲଢିବେନି ପୱନ ସିଂହ: ବିଜେପିକୁ ଲାଗିଲା ଝଟକା

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି ବିଜେପି ପ୍ରାର୍ଥି ପୱନ ସିଂହ । ଭୋଜପୁରୀ ସିନେ ଜଗତର ଲୋକପ୍ରିୟ ଅଭିନେତା ପୱନ ସିଂହଙ୍କୁ ପଶ୍ଚିମ ବଙ୍ଗର ଆସନସୋଲ ଲୋକସଭା ସିଟ୍ ପାଇଁ ପ୍ରାର୍ଥି କରିଥିଲା ବିଜେପି । କିନ୍ତୁ ଆଜି ହଠାତ୍ ନିର୍ବାଚନରେ ଲଢିବା ପାଇଁ ମନା କରିଛନ୍ତି ପୱନ । ଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ସୁପରଷ୍ଟାର ତଥା ବିଜେପି ପ୍ରାର୍ଥି ।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଗତକାଲି ୧୯୫ ଜଣ ପ୍ରାର୍ଥି ତାଲିକା ଗୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ ୪ ଜଣ ଭୋଜପୁରୀ ଅଭିନେତାଙ୍କ ନାମ ମଧ୍ୟ ସାମିଲ ରହିଥିଲା । ରବି କିଶନ୍, ମନୋଜ ତିୱାରୀ ଏବଂ ନିରହୁଆଙ୍କ ସହ ନୂଆ ଚେହେରା ଭାବରେ ପୱନ ସିଂହଙ୍କୁ ଟିକେଟ ଦେଇଥିଲା ବିଜେପି । ପଶ୍ଚିମବଙ୍ଗର ଆସନସୋଲ ଆସନରୁ ନିର୍ବାଚନ ଲଢିବା ପାଇଁ ପୱନଙ୍କୁ ପ୍ରାର୍ଥି ଭାବରେ ବିଜେପି ଘୋଷଣା କରିଥିଲା । କିନ୍ତୁ ଆଜି ଅଚାନକ ଭାବରେ ପୱନ ନିର୍ବାଚନ ଲଢିବା ପାଇଁ ମନା କରି ଦେଇଛନ୍ତି । ଆସନସୋଲ ଲୋକସଭା ସିଟରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ପୱନ ସିଂହ ।

ଏ ନେଇ ଟ୍ୱିଟର ପୋଷ୍ଟରେ ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ହୃଦୟରୁ ଧନ୍ୟବାଦ୍ । ପାର୍ଟି ମୋ ଉପରେ ଭରସା କରି ଆସନସୋଲର ପ୍ରାର୍ଥି ଭାବରେ ଘୋଷଣା କରିଛି । କିନ୍ତୁ କୌଣସି କାରଣବଶତଃ ମୁଁ ଆସନସୋଲରୁ ନିର୍ବାଚନ ଲଢିପାରିବି ନାହିଁ ।

ନିର୍ବାଚନରୁ ଓହରିବାର ପ୍ରକୃତ କାରଣ ନ କହି ସେ ନିର୍ବାଚନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କେବଳ ଆସନସୋଲରୁ ନା ସମ୍ପୂର୍ଣ୍ଣ ନିର୍ବାଚନରୁ ଓହରିବାକୁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ ପୱନ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ସୂଚନା ଥାଉ କି, ବର୍ତ୍ତମାନ ଆସନସୋଲରେ ବଲିଉଡର ସୁପରଷ୍ଟାର ତଥା ଟିଏମସିର ସଦସ୍ୟ ଶତ୍ରୁଘ୍ନ ସିହ୍ନା ସାଂସଦ ପଦରେ ରହିଛନ୍ତି ।

Get real time updates directly on you device, subscribe now.