fbpx

ପେଗାସସ୍‌ ବିବାଦ: ଜୁନ୍‌ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,: ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ତିଆରି କରିଥିବା ପେଗାସସ୍‌ ସ୍ପାଇ ୱେୟାରକୁ ନେଇ ବିବାଦ ମଧ୍ୟରେ ଶୁକ୍ରବାର ସୁପ୍ରିମକୋର୍ଟ ଆସନ୍ତା ଜୁନ୍‌ ୨୦ ତାରିଖ ଶୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଥିଲା । କମିଟି ତଦନ୍ତ କରି କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛି । ଶୁକ୍ରବାର ଏହାର ଶୁଣାଣି ବେଳେ ଚୂଡ଼ାନ୍ତ ରିପୋର୍ଟ ପାଇଁ କମିଟି ୪ ସପ୍ତାହ ସମୟ ମାଗିଥିବାବେଳେ ଅଦାଲତ ମଧ୍ୟ ଏଥିରେ ସହମତ ହୋଇଛନ୍ତି ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏନ୍‌.ଭି.ରମଣା ବୈଷୟିକ କମିଟିକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଜୁନ୍‌ ୨୦ ସୁଦ୍ଧା ସୁପରଭାଇଜିଂ ବିଚାରପତିଙ୍କ ନିକଟରେ ପେଗାସସ୍‌ ବିବାଦର ରିପୋର୍ଟ ଦାଖଲ କରିବାକୁ ପଡ଼ିବ । ଏହାପରେ ସୁ ରଭାଇଜିଂ ଜଜ୍‌ ବୈଷୟିକ କମିଟିର ରିପୋର୍ଟକୁ ଅନୁଧ୍ୟାନ କରି ନିଜର ମତାମତ ଜୁନ୍‌ ଶେଷ ସୁଦ୍ଧା ସୁପ୍ରିମକୋର୍ଟରେ ଦାଖଲ କରିବେ । ଏହାପରେ ମାମଲାର ଶୁଣାଣି କରାଯିବ । ଟେକନିକାଲ କମିଟି ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି ଯେ, ପେଗାସସ୍‌ ସ୍ପାଇୱେୟାରର ଯାଞ୍ଚ ବେଳେ ସେମାନେ ୨୯ଟି ଫୋନ୍‌ ଯାଞ୍ଚ କରିଥିଲେ । ଏଥିସହ କେତେକ ଆବେଦନକାରୀ, ସମାଜସେବୀ ଓ ସାମ୍ବାଦିକଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବରରେ ସୁପ୍ରିମକୋର୍ଟ ପେଗାସସ୍‌ ସ୍ପାଇୱେୟାର ବିବାଦର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ କୋର୍ଟ ଏକ ପ୍ୟାନେଲ ମଧ୍ୟ ଗଠନ କରିଥିଲେ । ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ, ଆମନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ହୋଇଥିବା ଲ୍ୟାବ୍‌ ଯାଞ୍ଚରେ ଅତି କମ୍‌ରେ ୧୪ ଜଣ ସାମାଜିକ କର୍ମୀ, ସାମ୍ବାଦିକ, ବିରୋଧୀ ଦଳ ନେତା ଓ ଅନ୍ୟ ଲୋକଙ୍କ ଫୋନ୍‌କୁ ପେଗାସସ୍‌ ଦ୍ୱାରା ହ୍ୟାକ୍‌ କରାଯାଇଥିବା ସ୍ପଷ୍ଟ ହୋଇଛି । ୨୦୧୭ ଜୁଲାଇରେ ଦେଶର ୨ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ୩ ଜଣ ବିରୋଧୀ ଦଳ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃ କ୍ଷ, କେତେକ ବଛା ବଛା ସରକାରୀ ଅଧିକାରୀ, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦା ଗିରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏମାନଙ୍କ ବ୍ୟତୀତ ସରକାରଙ୍କ ଗୁପ୍ତ ନଜରରେ କିଛି ସାମାଜିକ କର୍ମୀ, ଆଇନ୍‌ଜୀବୀ ଓ ସୁପ୍ରିମକୋର୍ଟ ବିଚାରପତି ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା । ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳି ବାହାର କରିବାର କୌଶଳ ହେଉଛି ପେଗାସସ୍‌ ।

Get real time updates directly on you device, subscribe now.