fbpx

(Video) ଓଲଟି ପଡ଼ିଛି ଟ୍ୟାଙ୍କର, କାନ୍ଦୁଛି ଡ୍ରାଇଭର… ହେଲେ ଲିଟର ଲିଟର ତେଲ ବୋହି ନେଉଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇଗଲାଣି । ତେବେ ଦୈନନ୍ଦିନ ଜୀବନରେ ଯାତ୍ରୀବାହୀ ଯାନ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଅନେକ ସମୟରେ ମାଲବାହୀ ଗାଡ଼ି ମଧ୍ୟ ଓଲଟି ପଡ଼ିଥାଏ । ଏପରି ସ୍ଥଳେ ଗାଡ଼ିରେ ଲୋଡ୍ ହୋଇଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥାଏ । ନିକଟରେ ଏଭଳି ଏକ ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ଗୋଟିଏ ଟ୍ୟାଙ୍କର ଓଲଟି ପଡ଼ିବା ପରେ ଲୋକମାନେ ତେଲ ବୋହି ନେଉଥିବା ଦେଖାଯାଇଥିଲା ।

ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଭିମଖୋଜ ନିକଟରେ ଏକ ତେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ଲୋକେ ଗରା, ବାଲଟି ଧରି ପହଞ୍ଚି ଯାଇଥିଲେ ତେଲ ଆଣିବାକୁ । ପାଣିରେ ଭାସୁଥିବା ତେଲକୁ ଛାଣି ଲୋକମାନେ ଘରକୁ ନେଇ ଯାଇଥିଲେ । ଟ୍ୟାଙ୍କର ଓଲଟି ପଡ଼ିବା ଫଳରେ ଡ୍ରାଇଭର ଦୁଃଖରେ ରହିଥିବା ବେଳେ ଲୋକମାନେ ସାହାଯ୍ୟ କରିବା ବଦଳରେ ତେଲ ବୋହି ନେଇଥିଲେ ।

ଆଜିକାଲିର ମହଙ୍ଗା ଯୁଗରେ ମାଗଣା ଡିଜେଲକୁ ଲୋକମାନେ ହାତଛଡ଼ା କରିବାକୁ ଚାହିଁ ନଥିଲେ । ସେଥିପାଇଁ ସେମାନେ ପାଣି ଜମିଥିବା ଏକ ନାଳ ସଦୃଶ ସ୍ଥାନରୁ ଡିଜେଲ ସଂଗ୍ରହ କରିବାରେ ଲାଗି ପଡ଼ିଥିଲେ । ଲୋକମାନେ ଡିଜେଲ ସଂଗ୍ରହ କରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା । ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣାର ସ୍ଥିତି ଉପୁଜିଥିଲା । ଡିଜେଲ ପାଣିରେ ମିଶିବା ପୂର୍ବରୁ ଟ୍ୟାଙ୍କର କର୍ମଚାରୀମାନେ ପାଖାପାଖି ୪୦୦ ଲିଟର ଡିଜେଲକୁ ସୁରକ୍ଷିତ ଭାବେ ସଂଗ୍ରହ କରିନେଇଥିଲେ । ଲୋକମାନେ ପାଣିରୁ ଡିଜେଲ ସଂଗ୍ରହ କରୁଥିବା ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.