fbpx

ନିର୍ବାଚନ ପରେ ଜନତାଙ୍କୁ ବଡ଼ ଝଟକା: ପେଟ୍ରୋଲ ଲିଟର ୩ ଟଙ୍କା ବଢ଼ିଲା, ଡିଜେଲ ୩.୨ ଟଙ୍କା ମହଙ୍ଗା ହେଲା

AAKASH

ନୂଆଦିଲ୍ଲୀ: ଗତ ୪ ତାରିଖରେ ଦେଶରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ବହୁମତ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିବା ବିଜେପି ଦୁଇ ସହଯୋଗୀ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଓ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସହ ମେଣ୍ଟ କରି କ୍ରମାଗତ ତୃତୀୟ ଥର କେନ୍ଦ୍ରରେ ସରକାର ଗଠନ କରିଛି । ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ତେବେ ନିର୍ବାଚନ ପରେ ସରକାର ଗଠନର ଏକ ସପ୍ତାହ ନ ପୂରୁଣୁ ଆସିଛି ଏକ ବଡ଼ ଖବର । ଜନତାଙ୍କ ଲାଗିଛି ଏକ ବଡ଼ ଝଟକା । ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି । ପେଟ୍ରୋଲ ଦର ୩ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ୩.୨ ଟଙ୍କା ବଢ଼ିଛି । କର୍ଣ୍ଣାଟକରେ ଏହି ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ଇନ୍ଧନ ଉପରୁ ସେଲ୍ସ ଟ୍ୟାକ୍ସ ବୃଦ୍ଧି ନେଇ ରାଜ୍ୟ ସରକାର ନିଷ୍ପତ୍ତି ପରେ ତୈଳ ଦର ବୃଦ୍ଧି ପାଇଥିବା ଜଣାପଡ଼ିଛି । ପେଟ୍ରୋଲ ଉପରେ ୨୫.୯୨ରୁ ୨୯.୮୪ ପ୍ରତିଶତ ଓ ଡିଜେଲ ଉପରେ ୧୪.୩ରୁ ୧୮.୪ ପ୍ରତିଶତ କର୍ଣ୍ଣାଟକ ସେଲ୍ସ ଟ୍ୟାକ୍ସ (କେଏସଟି) ବୃଦ୍ଧି କରାଯାଇଥିବା ସରକାରୀ ନୋଟିଫିକେସନରୁ ଜଣାପଡ଼ିଛି । ଏହି ନିଷ୍ପତ୍ତି ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ ବୋଲି ଅର୍ଥ ବିଭାଗର ବିଜ୍ଞପ୍ତିରୁ ଜଣାପଡ଼ିଛି । ବର୍ତ୍ତମାନ ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ୯୯.୮୪ ଟଙ୍କା ଓ ଡିଜେଲ ଲିଟର ୮୫.୯୩ ଟଙ୍କା ରହିଥିବା ବେଳେ ଖୁବଶୀଘ୍ର ଏହି ଦର ବୃଦ୍ଧି ହେବ ।

Get real time updates directly on you device, subscribe now.