fbpx

ସାଧାରଣ ଜନତାଙ୍କୁ ଝଟକା : ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ, ଜାଣନ୍ତୁ କେତେ ମହଙ୍ଗା ହେଲା ତେଲ ଦର

ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରି ଦେଶରେ ତେଲ ଦର ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦାମ ବଢିବାରେ ଲାଗିଛି । ଏପରିକି ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପେଟ୍ରୋଲ ୧୦୦ ଅତିକ୍ରମ କରି ସାରିଛି। ଏହି କ୍ରମରେ ସୋମବାର ସରକାରୀ ତୈଳ ବିପଣନକାରୀ କମ୍ପାନୀ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି କରିଛନ୍ତି । ଆଜି ପେଟ୍ରୋଲ ଲିଟର ପିଛା ୨୪ ରୁ ୨୮ ପଇସା ଏବଂ ଡିଜେଲ ୨୬ ରୁ ୨୮ ପଇସା ମହଙ୍ଗା ହୋଇଛି । ଏହା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ଦାମ ୯୫.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୬.୨୨ ଟଙ୍କା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଦେଶରେ ତେଲ ଦର ମହଙ୍ଗା ହେବାରେ ଲାଗିଛି ।

ଚଳିତ ମାସରେ ତେଲ ଦର ନିୟମିତ ଭାବେ ବଢିବାରେ ଲାଗିଛି । ଗତ ୨୧ ଦିନରେ ପେଟ୍ରୋଲ ଲିଟର ପିଛା ୪.୯୯ ଟଙ୍କା ମହଙ୍ଗା ହୋଇ ସାରିଛି । ଡିଜେଲ୍ ମଧ୍ୟ ଲିଟର ପ୍ରତି ୫.୪୪ ଟଙ୍କା ମହଙ୍ଗା ହୋଇଛି । ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଲିଟର ପ୍ରତି ୯୫.୪୯ ଟଙ୍କା ରହିଛି । ସେହି ପରି ଦିଲ୍ଲୀରେ ୯୫.୩୧ ଟଙ୍କା, ମୁମ୍ବାଇରେ ୧୦୧.୫୨ ଟଙ୍କା, କୋଲକାତାରେ ୯୫.୨୮ ଟଙ୍କା, ଜୟପୁରରେ ୧୦୧.୮୮ ଟଙ୍କା ଓ ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୯୮.୪୯ ଟଙ୍କା ରହିଛି ।

ସେହି ପରି ଭୁବନେଶ୍ୱରରେ ଡିଜେଲ୍ ଲିଟର ପିଛା ୯୩.୩୪ ଟଙ୍କା ରହିଛି । ଦିଲ୍ଲୀରେ ଡିଜେଲ ୮୬.୨୨ ଟଙ୍କା, ମୁମ୍ବାଇରେ ୯୩.୫୮ ଟଙ୍କା, କୋଲକାତାରେ ୮୯.୦୭ ଟଙ୍କା, ଚେନ୍ନାଇରେ ୮୯.୦୭ ଟଙ୍କା ଓ ବେଙ୍ଗାଲୁରୁରେ ଡିଜେଲ ଲିଟର ପ୍ରତି ୯୧.୪୧ ଟଙ୍କା ରହିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଯେମିତି ବଢି ଚାଲିଛି, ସେଥିରେ ଭାରତରେ ତେଲ ଦର ଆହୁରି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଫଳରେ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢିବ । ଏହା ସାଧାରଣ ଜନତାଙ୍କ ଆର୍ଥିକ ସମସ୍ୟାକୁ ଦ୍ୱିଗୁଣିତ କରିବ ।

 

Get real time updates directly on you device, subscribe now.