fbpx
BSKY
BJD SHG SKY
BJD YOUTH SKY

PG Doctorଙ୍କ ନିଯୁକ୍ତି ନେଇ ବଦଳିଲା ନିୟମ: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଜି ଡାକ୍ତରଙ୍କ ନିଯୁକ୍ତି ନେଇ ଲାଗୁ ହେଲା ନୂଆ ନିୟମ । ପିଜି ଡାକ୍ତରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବଣ୍ଡର ସର୍ତ୍ତ ଅନୁସାରେ ଅନଲାଇନରେ ନିଯୁକ୍ତି ସ୍ଥାନ ମନୋନୟନ କରାଯିବ । ସେହି ଆଧାରରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିବା ଜଣାପଡ଼ିଛି ।

ପିଜି ଡାକ୍ତରମାନେ ନିଟ୍ ପରୀକ୍ଷାରେ ରଖିଥିବା ନମ୍ବରକୁ ଆଧାର କରି କାଉନସେଲିଂ କରାଯିବ । ଡାକ୍ତରଙ୍କ ପାଇଁ ଦୁଇଟି ଅଲଗା ଅଲଗା ମେଧା ତାଲିକା ପ୍ରସ୍ତୁତ କରାଯିବ । ଗୋଟିଏ ତାଲିକା ସିଧାସଳଖ ପିଜି ଡିଗ୍ରୀ ହାସଲ କରିଥିବା ଡାକ୍ତରଙ୍କ ପାଇଁ ଓ ଅନ୍ୟଟି ଚାକିରିରେ ଥିବା ପିଜି ଡାକ୍ତରଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଯେଉଁ ପିଜି ଡାକ୍ତରମାନେ ଚାକିରିରେ ରହିଥିବେ ସେମାନଙ୍କୁ ସଂଶୋଧିତ ସ୍କୋର ପ୍ରଦାନ କରାଯିବ । ସମସ୍ତ ପିଜି ଡାକ୍ତରମାନେ ବୋର୍ଡ ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ଡାକ୍ତର ଭାବେ ପରିଗଣିତ ହେବେ । ସେମାନେ ସରକାରୀ ମେଡିକାଲ କଲେଜରେ ଖାଲି ଥିବା ସିନିୟର ରେସିଡେନ୍ସ ପଦରେ ନିଯୁକ୍ତି ପାଇବେ ।

ଭେଷଜ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜି ଡାକ୍ତର ଉପକଣ୍ଠରେ ଥିବା ଚିକିତ୍ସାଳୟରେ ଅତିକମରେ ୬ ମାସର କାର୍ଯ୍ୟ କରିବେ । ଆବଶ୍ୟକତା ଅନୁଯାୟୀ କନିଷ୍ଠ ପରାମର୍ଶଦାତା ଓ ପାରା କ୍ଲିନିକାଲ ଡାକ୍ତରଙ୍କୁ ଭେଷଜ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ । ନିଯୁକ୍ତି କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ଡିଏମଇଡି ପିଜି ଡାକ୍ତରଙ୍କ ପାଇଁ ଏକ ସେଲ ଗଠନ କରିବେ, ଯେଉଁଥିରେ ଡାକ୍ତରଙ୍କ ତଥ୍ୟ, ପ୍ରମାଣପତ୍ର ଓ ନିଯୁକ୍ତି ତାଲିକା ରହିବ । ସରକାରୀ ମେଡିକାଲ କଲେଜରୁ ପିଜି ଉତ୍ତୀର୍ଣ୍ଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ମାନଦଣ୍ଡ ନଥିବାରୁ ନୂଆ ମେଡିକାଲ କଲେଜରେ ସେମାନେ ନିଯୁକ୍ତି ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ଫଳରେ କୋରାପୁଟ, କେନ୍ଦୁଝର, ବାରିପଦା, ପୁରୀ ପରି ନୂଆ ମେଡିକାଲ କଲେଜରେ ଚିକିତ୍ସା ସେବା ବ୍ୟାଘାତ ହେଉଥିଲା । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.