fbpx

୨୦୨୪ ସାଧାରଣ ନିର୍ବାଚନ ହାତେଇବା ପାଇଁ ବିଜେପିର ରଣନୀତି, ପ୍ରଭାରୀ କରିବେ ସମୀକ୍ଷା

ଭୁବନେଶ୍ୱର:ଧାମନଗର ଉପ ନିର୍ବାଚନ ଆସନ ହାତେଇବା ପରେ ବିଜେପି ଭାବୁଥିଲା ଯେ ପଦ୍ମପୁରରେ ମଧ୍ୟ ତାଙ୍କୁ ସଫଳତା ମିଳିବ । କିନ୍ତୁ ପଦ୍ମପୁରରେ ହେଭି ଟକ୍କର ହେବା ପରେ ମଧ୍ୟ ଦଳ ସେଠାରେ ବିଜୟ ହୋଇପାରିଲା ନାହିଁ । କିନ୍ତୁ ଏଠାରେ ଜଣା ପଡିଗଲା ଯେ ବିଜେପି ସହ ମଧ୍ୟ ଲୋକଙ୍କ ସମର୍ଥନ ରହିଛି । ବିଜୟ ନ ମିଳିଲେ ମଧ୍ୟ ଜନସମର୍ଥନ ଦେଖିବାକୁ ମିଳିଲା ।

ଚଳିତ ଥର ପାଞ୍ଚ ଜଣ କେନ୍ଦ୍ର ମନ୍ତ୍ରୀ ଉପନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ଆସିଥିଲେ । ଖୁବ ଜୋରସୋର ପ୍ରଚାର ମଧ୍ୟ ହେଲା । ତେବେ କେଉଁ ଠାରେ ଭୁଲ ରହିଲା କେଉଁ କାରଣରୁ ଦଳକୁ ପରାଜୟ ସହିବାକୁ ପଡିଲା ତାହାକୁ ନେଇ ସମୀକ୍ଷା କରିବା ସହିତ ଦଳର ବିଭିନ୍ନ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଏକ ମାନସମନ୍ଥନ ହେବ । ଯାହାପାଇଁ ଆଜି ଓଡିଶାରେ ଆସି ପହଞ୍ଚିଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଯୋଗଦେବା ସହିତ ବିଭିନ୍ନ ବିଜେପି କର୍ମୀ ମାନଙ୍କ ସହିତ ଆଲୋଚନା ହେବ ।

ସୁନୀଲ ବଂଶଲଙ୍କ ଓଡିଶାର କ୍ଷେତ୍ରୀୟ ପ୍ରଭାରୀ ଦାୟିତ୍ୱ ସମ୍ଭାଳିବା ପରେ ଓଡିଶାରେ ପ୍ରଥମ ଥର ପାଇଁ ଉପନିର୍ବାଚନ ହାତେଇବା ସହିତ ବିଜେଡିକୁ ପରାଜୟର ସ୍ୱାଦ ଚଖାଇାବାରେ ସଫଳ ହୋଇଥିଲା ବିଜେପି ।ପଦ୍ମପୁର ପାଇଁ ରଣନୀତି ସଠିକ ଭାବରେ ଅଙ୍କା ଯାଇଥିଲେ ମଧ୍ୟ ସୁପ୍ରିମୋଙ୍କ ପ୍ରଚାର ଏବଂ ବିଜେପିର କିଛି ଭୁଲ ପାଇଁ ତାଙ୍କୁ ପରାଜୟ ହାସଲ ହୋଇଥିଲା ।

କିନ୍ତୁ ଏବେ ଆଗରେ ରହିଛି ୨୦୨୪ ସାଧାରଣ ନିର୍ବାଚନ । ଯାହା ପାଇଁ ଏବେଠାରୁ ସବୁ ଦଳ ତାଙ୍କର ସାମରସଜ୍ଜା ଆରମ୍ଭ କରିଲେଣି । ତେଣୁ ବିଜେପିକୁ ମଧ୍ୟ ତାଙ୍କର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେବାକୁ ହେବ । କାରଣ ଯାହା ସଙ୍କେତ ମିଳୁଛି ଚଳିତ ଥର ଆଗୁଆ ନିର୍ବାଚନ ହୋଇପାରେ । ତେବେ ଆଗୁଆ ନିର୍ବାଚନ ହେଲେ ଏହା ଶାସକ ଦଳ ପାଇଁ ଭଲ ସାବ୍ୟସ୍ତ ହୋଇପାରେ । ଏହାର ଶତପ୍ରତିଶତ ଲାଭ ଶାସକ ଦଳ ଉଠାଇଥାଏ ।ତେଣୁ ଯଦି କିଛି ଏଭଳି ହେଲା ତେବେ ଏହି ସୁଯୋଗ କେବେ ହାତଛଡା କରିବାକୁ ବିଜେଡି ଚାହିଁବ ନାହିଁ । ଶାସକ ଦଳକୁ ଟକ୍କର ଦେବାକୁ ହେଲେ ବିଜେପିକୁ ଆହୁରି ମଜବୁତ ହେବା ସହିତ ଦଳ ତ୍ରୁଟି ସମସ୍ୟା, କନ୍ଦଳକୁ ଦୂର କରିବାକୁ ହେବ । ଯାହା ପାଇଁ ଏବେ ଠାରୁ କେନ୍ଦ୍ର ମନ୍ତ୍ରୀ ଓଡିଶା ମୁହାଁ ହେବେ । ଆଉ ବୈଠକ ଉପରେ ବୈଠକ ହେବ । ଆଲୋଚନା ପର୍ଯ୍ୟାଲୋଚନା ହେବ ।

ତେବେ ଆଜିର ଏହି ବୈଠକର ସମସ୍ତ ରାଜ୍ୟ ବିଜେପି କର୍ମୀ ମାନଙ୍କ ସହିତ ସହ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାସଂଦ ଅପରାଜିତା ଷଢ଼ଙ୍ଗୀ, ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ଦେଖିବା ବାକି ରହିଲା ବିଜେଡି ଗଡ ଓଡିଶାରେ ବିଜେପି ଏଥର କେଉଁ ରଣନୀତି ଆଣି ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି । ଆଉ ଏଥର ରାଜ୍ୟ ରାଜନୈତିକ ସମୀକରଣରେ କେଉଁ ପରିବର୍ତ୍ତନ ହେଉଛି ।

Get real time updates directly on you device, subscribe now.