fbpx

ସାମ୍ବାଦିକଙ୍କ ଲାଗି ସବୁଠୁ ବିପଦପୂର୍ଣ୍ଣ ଏହି ଦେଶ , ୧୭ ମାସ ମଧ୍ୟରେ କରାଗଲାଣି ବହୁ ସାମ୍ବାଦିକଙ୍କୁ ହତ୍ୟା

Advertisement

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲୁଥିବା ଯୁଦ୍ଧରେ ସାଧାରଣ ନାଗରିକଙ୍କ ସହିତ ବହୁ ସାମ୍ବାଦିକଙ୍କ ବି ହତ୍ୟାର ଶିକାର ହୋଇଛନ୍ତି । କିନ୍ତୁ ଆମ ବିଶ୍ୱରେ ଏପରି ଏକ ଦେଶ ରହିଛି ଯେଉଁଠି ବିନା ଯୁଦ୍ଧରେ ବି ବହୁ ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି । ସାମ୍ବାଦିକଙ୍କ ଲାଗି ଏହି ଦେଶ ବହୁତ ଭୟାନକ ହୋଇଯାଇଛି । ଏହି ଦେଶରେ ହତ୍ୟା କରାଯାଇଥିବା ସାମ୍ବାଦିକଙ୍କ ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଜଣେ ରେଡିଓ ବ୍ରଡକାଷ୍ଟରଙ୍କୁ ତାଙ୍କ ଷ୍ଟୁଡିଓରେ ଗୁଳିମାରି ହତ୍ୟା କରିଦିଆଯାଇଛି ।

ଗତ ୧୭ ମାସ ମଧ୍ୟରେ ଦେଶରେ ବହୁ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଫିଲିପାଇନ୍ସ କେଲାମ୍ବା ନଗରପାଳିକା ମୁଖ୍ୟ କ୍ୟାପଟେନ୍ ଡିଓରେ ରେଗୋନିଆ କହିଛନ୍ତି ଜୁଆନ ଜୁମାଲୋନ ଜଣେ ରେଡିଓ ପ୍ରସାରକ ଯାହାଙ୍କ ବୟସ ୫୭ ବର୍ଷ ଥିଲା । ଷ୍ଟୁଡିଓରେ ପଶି ତାଙ୍କୁ ଅଜଣା ବନ୍ଧୁକଧାରୀମାନେ ହତ୍ୟା କରିଛନ୍ତି । ତାଙ୍କ ମୁଣ୍ଡରେ ଗୁଳି ମାଡ ହୋଇଥିଲା । ମିଣ୍ଡାନାଓର ଦକ୍ଷିଣ ଦ୍ୱୀପରେ ଥିବା ନିଜ ଘରେ ତିଆରି କରିଥିବା ଷ୍ଟୁଡିଓରେ ଜୁମାଲୋନ ଉପସ୍ଥିତ ଥିବା ବେଳେ ତାଙ୍କୁ ଦୁବୃର୍ତ୍ତମାନେ ଗୁଳି କରିଥିଲେ ।

ଏହି ହତ୍ୟାକାଣ୍ଡ ସଂପର୍କରେ ପୋଲିସ କହିଛି ବନ୍ଧୁକଧାରୀମାନେ ଜୁମାଲୋନଙ୍କୁ ରେଡିଓରେ ଏକ ଘୋଷଣା କରିବାକୁ କହିଥିଲେ । ଏହାପରେ ଜୁମାଲୋନ ଅଭିଯୁକ୍ତଙ୍କୁ ଷ୍ଟୁଡିଓକୁ ଆସିବାକୁ ଅନୁମତି ଦେଇଥିଲେ । ଏହାପରେ ସେମାନେ ଷ୍ଟୁଡିଓରେ ପହଞ୍ଚି ଜୁମାଲୋନଙ୍କ ମୁଣ୍ଡକୁ ଦୁଇ ଥର ଗୁଳିମାରିଥିଲେ ଓ ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ସେଠାରୁ ଫେରାର ହୋଇଯାଇଥିଲେ । ଷ୍ଟୁଡିଓରେ ଲାଗିଥିବା କ୍ୟାମେରାରେ ଏ ସମସ୍ତ ତଥ୍ୟ ରେକର୍ଡେଡ୍ ହୋଇଯାଇଛି । ଏହି ଘଟଣାକୁ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ୍ ଦୃଢ ନିନ୍ଦା କରିଛନ୍ତି । ଅପରାଧିଙ୍କୁ ଯେତେ ଶୀଘ୍ର ସମ୍ଭବ ଧରିବା ଲାଗି ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ପରେ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ଅଫ୍ ଫିଲିପାଇନ୍ସ କହିଛି ଏହି ଦେଶ ସାମ୍ବାଦିକଙ୍କ ଲାଗି ମରଣଯନ୍ତା ପାଲଟିଯାଇଛି । ଗତ ବର୍ଷ ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ୍ କ୍ଷମତାକୁ ଆସିବା ପରଠାରୁ ଜୁମାଲୋନଙ୍କୁ ମିଶାଇ ୪ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲାଣି ।

Get real time updates directly on you device, subscribe now.