ହେ ରାମ୍…ଠାକୁରଙ୍କ ନିକଟରୁ ମିଳିଲା ମାଂସଖଣ୍ଡ, ଘଟଣାକୁ ନେଇ ଜନଅସନ୍ତୋଷ ସହ ଉତ୍ତେଜନା
ହାଇଦ୍ରାବାଦରେ ଉତ୍ତେଜନା । ମନ୍ଦିରରେ ମାଂସଖଣ୍ଡ ମିଳିବା ପରେ ପୋଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ ।
ନୂଆଦିଲ୍ଲୀ: ହାଇଦ୍ରାବାଦର ଟପ୍ପାଚାବୁତରା ଅଞ୍ଚଳରେ ଥିବା ଜିରା ହନୁମାନ ମନ୍ଦିରରୁ ଏକ ମାଂସ ଖଣ୍ଡ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଘଟଣାକୁ ନେଇ ହିନ୍ଦୁ ସଂଗଠନ, ବିଜେପି ଏବଂ ବିଆରଏସ ନେତାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ମାମଲାକୁ ନେଇ କ୍ରୋଧିତ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବୁଧବାର ଦିନ ମନ୍ଦିର ପୂଜକ କବାଟ ଖୋଲିବା ମାତ୍ରେ ଏହା ଦେଖିବାକୁ ପାଇଥିଲେ । ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ ।
ଏହି ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ବିଜେପି ବିଧାୟକ ଟି. ରାଜା ସିଂହ ଏବଂ ଅନେକ ହିନ୍ଦୁ ସଂଗଠନର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଏହି କାର୍ଯ୍ୟକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିହିତ କରି ରାଜ୍ୟ ସରକାର ଏବଂ ପ୍ରଶାସନକୁ ଟାର୍ଗେଟ କରିଥିଲେ ।
ରାଜା ସିଂହ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ଘଟୁଛି ନାହିଁ । ହାଇଦ୍ରାବାଦରେ ଏପରି ଘଟଣା ନିରନ୍ତର ଘଟୁଛି । ଯାହାଦ୍ୱାରା ହିନ୍ଦୁ ସମ୍ପ୍ରଦାୟର ଭାବନା ଆଘାତ ହେଉଛି ।
ରାଜ୍ୟରେ ମନ୍ଦିରରେ ଏପରି ଘଟଣା ଘଟିବା ଏହା ପ୍ରଥମ ଘଟଣା ନୁହେଁ । ଗତ କିଛି ମାସ ମଧ୍ୟରେ ମନ୍ଦିରଗୁଡ଼ିକୁ ଅନେକ ଥର ଟାର୍ଗେଟ କରାଯାଇଛି। ଯାହା ଯୋଗୁଁ ହିନ୍ଦୁ ସଂଗଠନମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ରହିଛି। ବିଜେପି ଏବଂ ଅନ୍ୟାନ୍ୟ ସଂଗଠନ ଅଭିଯୋଗ କରୁଛନ୍ତି ଯେ ଏପରି ଘଟଣା ପଛରେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥାଇପାରେ ।