ନୂଆଦିଲ୍ଲୀ: ଅନେକ ଦିନର ଅନିଶ୍ଚିତତା ଭିତରେ ଭାରତ-ୱେଷ୍ଟଇଣ୍ଡିଜ ଶେଷ ୨ ଟି-୨୦ ମ୍ୟାଚକୁ ନେଇ ଆସିଛି ସ୍ପଷ୍ଟ ସୂଚନା । ଆମେରିକାର ଫ୍ଲୋରିଡାରେ ହିଁ ଉଭୟ ମ୍ୟାଚ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । ତେବେ ଏହି ଦୁଇ ମ୍ୟାଚ ପାଇଁ ଖେଳାଳିମାନଙ୍କୁ ଏବେ ଭିସା ମିଳିସାରିଛି । ତେଣୁ ଆସନ୍ତା ୬ ଏବଂ ୭ ତାରିଖରେ ଆମେରିକାରେ ଏହି ଦୁଇ ମ୍ୟାଚ ଖେଳାଯିବ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।
ଭାରତ-ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ୨ଟି ମ୍ୟାଚକୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଉଭୟ ମ୍ୟାଚ ଆମେରିକାରେ ଖେଳାଯିବାକୁ ଥିବା ବେଳେ କୌଣସି ଖେଳାଳିଙ୍କୁ ଏଥିପାଇଁ ଭିସା ମିଳି ପାରି ନଥିଲା । ତେଣୁ ଏହି ମ୍ୟାଚ ଖେଳାଯିବ କି ନାହିଁ ସେ ନେଇ ମଧ୍ୟ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ । କିନ୍ତୁ ଏବେ ଉଭୟ ଦଳର ସମସ୍ତ ଖେଳାଳିମାନଙ୍କୁ ଆମେରିକା ପାଇଁ ଭିସା ମିଳିସାରିଥିବା ସୂଚନା ମିଳିଛି । ଗୁୟାନା ସରକାରଙ୍କ ହସ୍ତକ୍ଷେପ ପରେ ଉଭୟ ଦଳର ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମାନଙ୍କୁ ଭିସା ସମସ୍ୟା ଦୂର ହୋଇସାରିଛି । ଏହି ପଦକ୍ଷେପ ପରେ ଗୁୟାନା ସରକାରଙ୍କ ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ଭାରତୀୟ ଦଳର ୧୪ ଜଣ ସଦସ୍ୟଙ୍କ ନିକଟରେ ସଂଯୁକ୍ତ ରାଜ୍ୟ ଯାତ୍ରା ପାଇଁ ଭିସା ଉପଲବ୍ଧ ନଥିଲା । ତୃତୀୟ ଟି-୨୦ ପରେ ଗୁୟାନାର ଜର୍ଜ ଟାଉନରେ ସେମାନଙ୍କର ଆମେରିକାର ଦୂତାବାସରେ ଇଣ୍ଟରଭ୍ୟୁ କରାଯାଇଥିଲା । ଏହି ଇଣ୍ଟରଭ୍ୟୁରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ସାମିଲ ଅଛନ୍ତି । ମଙ୍ଗଳବାର ସେର୍ଟ କିଟ୍ସରେ ୭ ୱିକେଟରେ ବିଜୟୀ ହୋଇ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି ମେନ ଇନ ବ୍ଲୁ । ତେବେ ରବିନ୍ଦ୍ର ଜାଡେଜା, ରବି ବିଷ୍ଣୋଇ, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ ଏବଂ ରବିଚନ୍ଦ୍ରନ ଅଶ୍ୱୀନ ମିୟାମୀରେ ପହଞ୍ଚି ସାରିଛନ୍ତି । ତେବେ ଆସନ୍ତା ଗୁରୁବାର ରାତି ସୁଦ୍ଧା ସେମାନଙ୍କ ସହ ସାମିଲ ହେବେ ବୋଲି ଜଣାଯାଇଛି ।