Bali Yatra 2024: ନଭେମ୍ବର ମାସରେ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଆଜିଠୁ ଆରମ୍ଭ ହେଲା ପ୍ଲଟ ପଞ୍ଜିକରଣ

କଟକ: ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ପାଖେଇ ଆସୁଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବାଲିଯାତ୍ରାରେ ଷ୍ଟଲ ଖଣ୍ଡେ ପାଇବା ପାଇଁ ବ୍ୟବସାୟୀମାନେ ବ୍ୟାକୁଳ ହୋଇଥାନ୍ତି ।  ନଭେମ୍ବର 15 ତାରିଖରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଆଜିଠାରୁ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଅକ୍ଟୋବର 15 ତାରିଖରୁ 25 ତାରିଖରେ ଯାଏଁ ଚାଲିବ ପଞ୍ଜିକରଣ ପ୍ରକ୍ରିୟା । ଅନଲାଇନ ମାଧ୍ୟମରେ ପ୍ଲଟ ପଞ୍ଜିକରଣ ହେଉଥିବା ବେଳେ ବ୍ୟବସାୟୀମାନେ 5 ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ । କଟକ ବାରବାଟୀ ପ୍ୟାଲେସରେ ଚାଲିଛି ଏହି ପଞ୍ଜିକରଣ ପ୍ରକ୍ରିୟା । ତେବେ 25 ତାରିଖରେ ପଞ୍ଜିତକଣ ପ୍ରକ୍ରିୟା ଶେଷ ହେଉଥିବା ବେଳେ 27 ତାରିଖରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ସୁରକ୍ଷିତ ଏବଂ ଆକର୍ଷଣୀୟ କରିବା ପାଇଁ ଲକ୍ଷ୍ୟ ରଖିଛି କଟକ ପ୍ରଶାସନ ।

ବାଲିଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଅଣ୍ଟା ଭିଡିଛି କଟକ ଜିଲ୍ଲା ପ୍ରଶାସନ । ତାରିଖ ଘୋଷଣା ହୋଇଥିଲେ ହେଁ ଏହା କେତେଦିନ ପର୍ଯ୍ୟନ୍ତ ଚାଲିବ ସେନେଇ ଘୋଷଣା କରାଯାଇ ନାହିଁ । ପରବର୍ତ୍ତି ବୈଠକରେ ସେନେଇ ଘୋଷଣା ହେବ ବୋଲି ଅନୁମାନ କରାଯାଉଛି । ଟଏଲେଟ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ସହିତ ସୁରକ୍ଷିତ ବାଲିଯାତ୍ରା ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ ।

Get real time updates directly on you device, subscribe now.