fbpx

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ୧୯ରୁ ନାମଲେଖା

ଭୁବନେଶ୍ୱର (ଓଡ଼ିଶା ଭାସ୍କର):  ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ପାଇଁ ବୁଧବାର ଅପରାହ୍ନ ୩ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା।   ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କଲେଜଗୁଡ଼ିକରେ ନାମ ଲେଖାଇପାରିବେ। ଅଗଷ୍ଟ ୧୯ରୁ ୨୭ ଭିତରେ ଛାତ୍ରଛାତ୍ରୀ ସ୍ଲାଇଡ୍‌-ଆପ୍‌ ଆବେଦନ କରିବେ ।

ସେହିଭଳି ସେପ୍ଟେମ୍ବର ୨ରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ବାହାରିବ । ଏହି ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ଭିତରେ ହେବ । ଏହି ପର୍ଯ୍ୟାୟ ପରେ ବଳକା ସିଟ୍‌ର ନାମଲେଖା ପାଇଁ ସେପ୍ଟେମ୍ବର ୧୩ ତାରିଖରେ ସ୍ପଟ୍‌ ମେଧା ତାଲିକା ବାହାରିବ । ସେପ୍ଟେମ୍ବର ୧୩ ଓ ୧୪ରେ ନାମଲେଖା ପାଇଁ ପଞ୍ଜୀକରଣ କରିବା ପରେ ୧୫ ତାରିଖରେ ଫାଇନାଲ୍‌ ସ୍ପଟ୍‌ ମେରିଟ୍ ଲିଷ୍ଟ ବାହାରିବ। ଏହାର ନାମଲେଖା ସେପ୍ଟେମ୍ବର ୧୫ ଓ ୧୬ରେ ହେବ। ୧୭ ତାରିଖରେ ନାମଲେଖାର ପୂରା ତଥ୍ୟ ସାମ୍ସରେ ଅପଡେଟ୍‌ କରାଯିବ।

ଚଳିତ ବର୍ଷ ୨ ହଜାର ୫୯ଟି ଯୁକ୍ତ ଦୁଇ କଲେଜରେ ୫ଲକ୍ଷ ୫ହଜାର ୮୦୨ ସିଟ୍‌ରେ ନାମ ଲେଖା ହେବ। ସେଥିମଧ୍ୟରୁ କଳାରେ ୨ଲକ୍ଷ ୭୬ହଜାର ୯୩୦, ବିଜ୍ଞାନରେ ୧ଲକ୍ଷ ୬୦ହଜାର ୨୬୪, ବାଣିଜ୍ୟରେ ୪୫ହଜାର ୧୦୮, ସଂସ୍କୃତରେ ୧୩ହଜାର ୨୬୮, ଧନ୍ଦାମୂଳକ ୧୦ହଜାର ୨୩୨ ସିଟ୍‌ ରହିଛି । ଯୁକ୍ତ ଦୁଇ ନାମଲେଖାଇବା ପାଇଁ ୪ ଲକ୍ଷ ୬୪ ହଜାର ୨୭୫ ଜଣ ଛାତ୍ରାଛତ୍ରୀ ଆବେଦନ କରିଛନ୍ତି।

Get real time updates directly on you device, subscribe now.