fbpx

ଏଣିକି ଯୁକ୍ତ୨ରେ ତ୍ରୈମାସିକ ପରୀକ୍ଷା, ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଏଣିକି +୨ରେ ତ୍ରୈମାସିକ ପରୀକ୍ଷା କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ୍‌ ୧୮ରକଲେଜ୍‌ ଖୋଲିଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତ୍ରୈମାସିକ ପରୀକ୍ଷା ହେବ କି ନାହିଁ ସେନେଇ କୌଣସି ସୂଚନା ଦେଇନଥିଲା । ଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡିବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରିତ ହୋଇଥିଲା । ତେବେ ତ୍ରୈମାସିକ ପରୀକ୍ଷା ପାଇଁ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ସିଏଚ୍‌ଏସ୍‌ଇଙ୍କୁ ଚିଠି କରାଯାଇଛି । ଏହି ପରୀକ୍ଷାରେ ଥିଓରି ପାଇଁ ୨୦ ନମ୍ବର ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ରହିବ । ଖୁବ୍‌ ଶୀଘ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ତାରିଖ ଘୋଷଣା କରିବ।

ସୂଚନା ମୁତାବିକ, ୨୦୨୨-୨୩ ଶିକ୍ଷା ବର୍ଷରେ ପିଲାମାନେ ତିନୋଟି ତ୍ରୈମାସିକ ପରୀକ୍ଷା ଦେବେ । ଥିଓରି ୨୦ ମାର୍କ ଓ ପ୍ରାକ୍ଟିକାଲ୍‌ ୧୦ ମାର୍କର ପରୀକ୍ଷା ହେବ । ପରୀକ୍ଷା ଅବଧି ରହିବ ୪୫ ମିନିଟ୍‌ । ପ୍ରଥମ ତ୍ରୈମାସିକ ପରୀକ୍ଷା ସେପ୍ଟେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ହେବ । ଦ୍ୱିତୀୟ ପରୀକ୍ଷା ନଭେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କରାଯିବ । ସେହିପରି ତୃତୀୟ ତ୍ରୈମାସିକ ପରୀକ୍ଷା ଜାନୁଆରୀ ପ୍ରଥମ ସପ୍ତାହରେ ହେବ । ଏହା ପରେ ବୋର୍ଡ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀଙ୍କୁ ୧୦୦ ମାର୍କରୁ ତିନୋଟି ତ୍ରୈମାସିକ ପରୀକ୍ଷାରୁ ୨୦ ପ୍ରତିଶତ ଓ ବୋର୍ଡ ପରୀକ୍ଷାରୁ ୮୦ ପ୍ରତିଶତ ମୂଲ୍ୟାଙ୍କନ କରାଯାଇ ମାର୍କ ଦିଆଯିବ । ଏହି ପରୀକ୍ଷା ଉଭୟ ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ଦେବେ। ନିଜ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ।

Get real time updates directly on you device, subscribe now.