fbpx
BJD SKY
BJD SKY

ଦିଗପହଣ୍ଡି ଦୁର୍ଘଟଣା: ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି, ମିଳିବ ୨ ଲକ୍ଷ

BJD

ଗଞ୍ଜାମ: ଦିଗପହଣ୍ଡି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣ ଯାତ୍ରୀଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏହାସହିତ ଚିକିତ୍ସିତ ଅବସ୍ଥାରେ ଥିବା ଆହତମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାପରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବା ପାଇଁ ସେ ଘୋଷଣା କରିଛନ୍ତି । ଏହାବ୍ୟତୀତ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି ।

ଏହି ଦୁର୍ଘଟଣାରେ ମୃତକମାନଙ୍କ ପାଇଁ ଗୃହମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବହୁ ମୂଲ୍ୟବାନ ଜୀବନର କ୍ଷତି ହୋଇଥିବାରୁ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେଣୁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଗୃହମନ୍ତ୍ରୀ । ତାଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବୈଜୟନ୍ତ ପଣ୍ଡା ମଧ୍ୟ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି । ବସ୍ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାରତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସୂଚନା ଥାଉ କି, ଗଞ୍ଜାମ ଦିଗପହଣ୍ଡିରେ ଓଏସଆରଟିସି ବସ୍ ଏବଂ ଏକ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୨ ଶିଶୁ ରହିଛନ୍ତି । ତେବେ ଜାଣିବାକୁ ମିଳିଛି ଯେ, ଘରୋଇ ବସରେ ଥିବା ଯାତ୍ରୀମାନେ ଏକ ବିବାହ ଉତ୍ସବକୁ ଯାଇଥିଲେ । ବ୍ରହ୍ମପୁରରୁ ବିବାହ ଉତ୍ସବ ସାରି ଖୁସି ମନରେ ଫେରୁଥିଲେ ଖଣ୍ଡଦେଉଳିକୁ । କିନ୍ତୁ ବାଟରେ ଛକି ବସିଥିଲା ଯମ । ଗଞ୍ଜାମର ଦିଗପହଣ୍ଡି ନିକଟରେ ଏକ ସରକାରୀ ବସକୁ ଧକ୍କା ଦେଇଥିଲା ଏହି ବସ୍ । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଏବଂ ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

Get real time updates directly on you device, subscribe now.