fbpx

ସଂସଦରୁ ଗାଏବ ବିଜେପି ସାଂସଦଙ୍କ ଉପରେ ଖପ୍ପା ପ୍ରଧାନମନ୍ତ୍ରୀ, ମାଗିଲେ ତାଲିକା

Advertisement

ନୂଆଦିଲ୍ଲୀ : ସଂସଦରେ ଚାଲିଛି ମୌସୁମି ଅଧିବେଶନ । ହେଲେ ଗୃହ କାର୍ଯ୍ୟରେ ଅନୁପସ୍ଥିତ ରହିଲେ ବିଜେପିର ଅନେକ ସାଂସଦ । ଏହା ଦେଖି ରାଗରେ ଲାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେଉଁ କେଉଁ ସାଂସଦ ଗୃହରେ ଅନୁପସ୍ଥିତ ଥିଲେ ତାର ତାଲିକା ମାଗିଛନ୍ତି ପ୍ରଧାନମନ୍ତ୍ରୀ । ସୋମବାର ‘ଅଧିକରଣ ସୁଧାର ବିଧେୟକ ୨୦୨୧’କୁ ରାଜ୍ୟସଭାରେ ଗୃହୀତ କରାଯିବା ସମୟରେ ବିଜେପିର ଅଧିକାଂଶ ସାଂସଦ ଅନୁପସ୍ଥିତ ଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂତ୍ର ଅନୁଯାୟୀ, ବିଜେପି ସଂସଦୀୟ ଦଳ ବୈଠକରେ ଏହା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ ସେହି ସାଂସଦଙ୍କ ତାଲିକା ମାଗିଛନ୍ତି, ଯେଉଁମାନେ ଗତକାଲି ବିଧେୟକ ପାରିତ ସମୟରେ ଗୃହରେ ଅନୁପସ୍ଥିତ ଥିଲେ । ରାଜ୍ୟସଭାରେ ସୋମବାର ସଂକ୍ଷିପ୍ତ ଆଲୋଚନା ପରେ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ‘ଅଧିକରଣ ସୁଧାର ବିଧେୟକ ୨୦୨୧’କୁ ମଞ୍ଜୁରୀ ଦିଆଯାଇଛି ।

ଏହି ବିଧେୟକରେ ଚଳଚ୍ଚିତ୍ର ଆଇନ, ସୀମା ଶୁଳ୍କ ଆଇନ, ବାଣିଜ୍ୟିକ ଚିହ୍ନ ଆଇନ ସହ ଅନେକ ଆଇନରେ ସଂଶୋଧନ କରିବାର ପ୍ରସ୍ତାବ ରହିଛି । ବିରୋଧୀ ଦଳ ଏହି ବିଧେୟକକୁ ପ୍ରବର ସମିିତିକୁ ପଠାଇବାକୁ ପ୍ରସ୍ତାବ ରଖିଥିଲେ ଏବଂ ଏହା ଉପରେ ଭୋଟିଂ ଦାବି କରିଥିଲେ । ହେଲେ ବିରୋଧୀ ଦାବି ଗୃହରେ କାଟ୍ ଖାଇଥିଲା । ବିରୋଧୀଙ୍କ ୪୪ ମୁକାବିଲାରେ ୭୯ ମତ ସହ ବିରୋଧୀଙ୍କ ପ୍ରସ୍ତାବକୁ ଅସ୍ୱୀକାର କରାଯାଇଥିଲା । ସୂଚନାଯୋଗ୍ୟ, ରାଜ୍ୟସଭାରେ ବର୍ତ୍ତମାନ ବିଜେପିର ମୋଟ୍ ୯୪ ସଦସ୍ୟ ଅଛନ୍ତି ।

Get real time updates directly on you device, subscribe now.