fbpx

ପ୍ରଥମ ବିଦେଶ ଯାତ୍ରାରେ କାଲି ଇଟାଲୀ ଗସ୍ତରେ ଯିବେ ମୋଦୀ, ଜି ୭ ସମ୍ମିଳନୀରେ ନେବେ ଭାଗ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ କାଲି ଅର୍ଥାତ୍ ଗୁରୁବାର ପ୍ରଥମ ବିଦେଶ ଯାତ୍ରାରେ ଇଟାଲୀ ଗସ୍ତ କରିବେ । ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ବୁଧବାର କହିଛନ୍ତି କି ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ୫୦ତମ ଜି ୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ କାଲି ଇଟାଲୀର ଅପୁଲିଆ ଗସ୍ତ କରିବେ ।

ଏହି ଶିଖର ସମ୍ମିଳନୀ ଜୁନ୍ ୧୪ରେ ଇଟାଲୀର ଆପୁଲିଆରେ ଆୟୋଜିତ କରାଯିବ । ଭାରତକୁ ଏକ ଆଉଟ୍‌ରିଚ୍ ଦେଶ ଭାବରେ ଏଠାକୁ ଆମନ୍ତ୍ରଣ କରାଯାଇଛି । ବିନୟ ମୋହନ କ୍ୱାତ୍ରା କହିଛନ୍ତି, ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନ୍ୟ ବିଶ୍ୱ ନେତାଙ୍କ ସହ ଭାରତ ଓ ବିଶ୍ୱ ଲାଗି ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅବସର ମିଳିବ । ଜି ୭ ହେଉଛି ବିଶ୍ୱର ୭ ବିକଶିତ ଅର୍ଥବ୍ୟବସ୍ଥାର ଏକ ଗୋଷ୍ଠୀ । ଏଥିରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, କାନାଡା ଓ ଜାପାନ ସାମିଲ ହୋଇଛନ୍ତି ।

ଏହି ଶିଖର ସମ୍ମିଳନୀରେ ଭାଗ ନେଉଥିବା ଶୀର୍ଷ ନେତାଙ୍କ ମଧ୍ୟରେ ଅଛନ୍ତି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍‌, ଜାପାନ ପ୍ରଧାନମନ୍ତ୍ରୀ ଫୁମିଆ କିଶିଦା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପ୍ରମୁଖ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସହ ବୈଠକ ବ୍ୟତିତ ବହୁ ଦ୍ୱିପାକ୍ଷୀୟ ବୈଠକ ବି କରିବେ ।

Get real time updates directly on you device, subscribe now.