ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସର୍ବଭାରତୀୟ ଡିଜି/ଆଇଜି ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ । ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ୨ ଥର ଓଡ଼ିଶା ଗସ୍ତରେ ଆସିବେ । ଆସନ୍ତା ମାସ ୮, ୯ ଓ ୧୦ ତାରିଖରେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ । ସେହିପରି ଜାନୁଆରୀ ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆସିବେ । କଟକ ଠାରେ ଏକ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ସେହି ଗସ୍ତରେ ଅବସରରେ ମୋଦୀ ସର୍ବଭାରତୀୟ ଡିଜି-ଆଇଜି ପୋଲିସ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ସ୍ୱାଗତ ଜଣାଇଥିଲେ । କିଛି ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଥିବାରୁ ପୁଣି ଥରେ ରାଜନୈତିକ ମହଲ ଚଳଚଞ୍ଚଳ ହୋଇ ଉଠିଛି ।