fbpx
BJD SKY
BJD SKY

କୋଭିଡ୍ ଭ୍ୟାକ୍ସିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ: କାରଣ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

BJD

ନୂଆଦିଲ୍ଲୀ: କୋଭିଡ-୧୯ ଭ୍ୟାକ୍ସିନ ପାଇଁ ଜାରି କରାଯାଇଥିବା କୋୱିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ ହଟାଇ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯାଇ କୋଭିଡ-୧୯ ଟିକାକରଣ ପାଇଁ କୋୱିନ ପ୍ରମାଣପତ୍ରରେ ପରିବର୍ତ୍ତନ କରାଯାଇଛି । ଏହି ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଯିବା ସହିତ କରୋନା ଭାଇରସ ଉପରେ ବିଜୟପ୍ରାପ୍ତ ପାଇଁ ଭାରତର ସାମୂହିକ ସଂକଳ୍ପ ବିଷୟରେ ସୂଚନା ପ୍ରଦାନ କରୁଥିବା ଏକ ଲେଖା ‘ଏକାଠି ହୋଇ ଭାରତ କୋଭିଡ-୧୯କୁ ପରାସ୍ତ କରିବା’ ଓ ପ୍ରଧାନମନ୍ତ୍ରୀଙ୍କ ନାମକୁ ମଧ୍ୟ ହଟାଇ ଦିଆଯାଇଛି ।

କୋଭିଡ-୧୯ ଭ୍ୟାକ୍ସିନ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଯିବା ପରେ କିଛି ୟୁଜର୍ସ ସୋସିଆଲ ମିଡ଼ିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । କୋଭିଶିଲ୍ଡ ଭ୍ୟାକ୍ସିନର ସାଇଡ୍ ଇଫେକ୍ଟସ କାରଣରୁ ଭ୍ୟାକ୍ସିନ ସାର୍ଟିଫିକେଟରେ ପରିବର୍ତ୍ତନ କରାଯାଇଥିବା କିଛି ୟୁଜର୍ସ ଅନୁମାନ କରିଛନ୍ତି । ଏଷ୍ଟ୍ରୋଜେନେକା ସହ ମିଶି ଏକ ଲାଇସେନ୍ସିଂ ବୁଝାମଣା କରି ସୀରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ଦ୍ୱାରା କୋଭିଶିଲ୍ଡ ନିର୍ମିତ ହୋଇଥିଲା ।

କୋୱିନ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ କିଛି ୟୁଜର୍ସ କ୍ରମାଗତ ଭାବେ ସୋସିଆଲ ମିଡ଼ିଆରେ ଏନେଇ ଚର୍ଚ୍ଚା ଜାରି ରଖିଛନ୍ତି । କିଛି ଲୋକ ଟିକାକରଣ ପ୍ରମାଣପତ୍ରକୁ ଯାଞ୍ଚ କରିବା ସହିତ କିଛି ଲୋକ ଟ୍ୱିଟ୍ କରିଛନ୍ତି । ତେବେ ବର୍ତ୍ତମାନ ଜାରି ରହିଥିବା ଲୋକସଭା ନିର୍ବାଚନର ଆଦର୍ଶ ଆଚରଣ ସଂହିତା (ଏମସିସି) ଲାଗୁ ହେବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଭ୍ୟାକ୍ସିନ ପ୍ରମାଣପତ୍ରରୁ ହଟାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଫଟୋ କୋଭିଡ ଟିକାକରଣ ପ୍ରମାଣପତ୍ରରୁ ହଟାଯିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୨୦୨୨ରେ ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ନିର୍ବାଚନ ସମୟରେ ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇ ଦିଆଯାଇଥିଲା । ଏହି ସମସ୍ତ ରାଜ୍ୟରେ ବିଧାନସଭା ନିର୍ବାଚନର ପ୍ରସ୍ତୁତି ପାଇଁ ଏହି ପଦକ୍ଷେପ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗ ବାଧ୍ୟତାମୂଳକ କରିଥିଲେ ।

Get real time updates directly on you device, subscribe now.