fbpx

୨୦୧୪ରୁ ଦାୟିତ୍ୱ ଗ୍ରହଣ କରିବା ପର ଠାରୁ ଗୋଟିଏ ବି ଛୁଟି ନେଇନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଟିଆଇ ଆବେଦନରୁ ଆସିଲା ତଥ୍ୟ

ନୂଆଦିଲ୍ଲୀ: ସମସ୍ତେ ଜାଣନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କର୍ମପରାୟଣ ବ୍ୟକ୍ତି ଓ ସେ କର୍ମରେ ବିଶ୍ୱାସ କରନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ୨୦୧୪ରେ କ୍ଷମତାକୁ ଆସିବା ପର ଠାରୁ ମୋଦୀ ଗୋଟିଏ ଦିନ ବି ଛୁଟୀ ନେଇନାହାନ୍ତି ବୋଲି ।

ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ପ୍ରଫୁଲ୍ଲ ପି. ସାରଦାଙ୍କ ପକ୍ଷରୁ କରାଯାଇଥିବା ଆବେଦନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନ ବଳରେ ପି. ସାରଦା ୨ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଥମ ପ୍ରଶ୍ନ ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କେତେଦିନ ଅଫିସ୍ ଆସିଛନ୍ତି । ଏହାର ଉତ୍ତର ମିଳିଛି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ଠାରୁ ଆଦୌ ଛୁଟି ନେଇନାହାନ୍ତି ।

ଦ୍ୱିତୀୟ ପ୍ରଶ୍ନ ଥିଲା , ପ୍ରଧାନମନ୍ତ୍ରୀ ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରେ କେତେଦିନ ବିଭିନ୍ନ କାର୍ଯ୍ୟକ୍ରମ ଓ ବୈଠକରେ ଭାଗ ନେଇଛନ୍ତି । ଏହାର ଉତ୍ତରରେ ଏକ ୱେବସାଇଟ ଲିଙ୍କ ଦିଆଯାଇଛି ଯାହା ଦର୍ଶାଉଛି ମୋଦି ଏ ପର୍ଯ୍ୟନ୍ତ ୩,୦୦୦ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଦିନକୁ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ।

ଏହି ଆରଟିଆଇ ଉତ୍ତର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଉପସଚିବ ପରବେଶ କୁମାରଙ୍କ ଦ୍ୱାରା ପ୍ରଦାନ କରାଯାଇଛି ଯିଏକି ସଂପୃକ୍ତ ମନ୍ତ୍ରଣାଳୟର ଚିଫ୍ ପିଙ୍କ ଇନଫର୍ମେସନ ଅଫିସର(ସିପିଆଇଓ) ଅଛନ୍ତି । ତେବେ ପ୍ରଧାନମନ୍ତ୍ରୀ କିପରି କାର୍ଯ୍ୟ କରିଥାନ୍ତି ଏହା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଲୋକପାତ କରିଛନ୍ତି । ବ୍ୟାଙ୍ଗକକ୍ ରେ ଭାରତୀୟ ସମୁଦାୟଙ୍କ ସହ ଆଲୋଚନା କରିବା ସମୟରେ ଜୟଶଙ୍କର କହିଛନ୍ତି, ଏହା ଭାରତବାସୀଙ୍କ ଲାଗି ଭାଗ୍ୟର କଥା ଯେ, ସେମାନେ ନରେନ୍ଦ୍ର ମୋଦୀଙ୍କ ପରି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପାଇଛନ୍ତି । ସେ କହିଛନ୍ତି ମୁଁ ଏହା ଏଇଥିପାଇଁ କହୁନାହିଁ ଯେ, ସେ ଏବେ ପ୍ରଧାନମନ୍ତ୍ରୀ ଅଛନ୍ତି ଓ ମୁଁ ତାଙ୍କ କ୍ୟାବିନେଟର ଜଣେ ସଦସ୍ୟ ଅଛି ବୋଲି ।

ଗତ ବର୍ଷ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ଦିନକୁ ମାତ୍ର ୨ ଘଣ୍ଟା ଶୋଇଥାନ୍ତି । ୨୦୧୬ରେ ମଧ୍ୟ ଏହି ସମାନ ବିଷୟକୁ ନେଇ ଆରଟିଆଇରେ ଆବେଦନ କରାଯାଇଥିଲା । ଏହାପରେ ଜଣେ ଆବେଦନକାରୀ ପ୍ରଧାନମନ୍ତ୍ରୀଙ୍କ ଲାଗି ରହିଥିବା ଛୁଟି ନିୟମ ଓ ବ୍ୟବସ୍ଥାର ଏକ କପି କ୍ୟାବିନେଟ୍ ସଚିବାଳୟରୁ ମଗାଇଥିଲେ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଥିଲା କି , ପ୍ରଧାନମନ୍ତ୍ରୀ ଆଦୌ ଛୁଟି ନେଇନାହାନ୍ତି ଅର୍ଥାତ୍ ସବୁ ସମୟରେ କର୍ତ୍ତବ୍ୟରେ ରହିଛନ୍ତି ।

ଏହି ଆରଟିଆଇ ଆବେଦନରେ ଏହା ମଧ୍ୟ ଜାଣିବା ଲାଗି ଚେଷ୍ଟା କରାଯାଇଥିଲା କି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅଟଳ ବିହାରୀ ବାଜପେୟୀ, ଏଚଡି ଦେବଗୌଡା, ଆଇକେ ଗୁଜରାଲ, ପିଭି ନରସିଂହ ରାଓ, ଭିପି ସିଂହ, ରାଜୀବ ଗାନ୍ଧୀ ଦାୟିତ୍ୱରେ ଥିବା ବେଳେ କେତେ ଛୁଟି ନେଇଛନ୍ତି ? କିନ୍ତୁ ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ଛୁଟି ବିଷୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା ।

Get real time updates directly on you device, subscribe now.