fbpx

(Video) କାର ଡ୍ରାଇଭିଂ କରୁଥିଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ: ଗାଡ଼ିକୁ କ୍ରେନ ଦ୍ୱାରା ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ଅନେକ ସମୟରେ ବଡ଼ ବଡ଼ ନେତା, ମନ୍ତ୍ରୀ, ଅଫିସରଙ୍କ ସମ୍ପର୍କୀୟମାନେ ପୋଲିସ କିମ୍ବା ଅନ୍ୟ ତଳିଆ କର୍ମଚାରୀଙ୍କ ଉପରେ ଜୁଲୁମ୍ ଦେଖାଇଥାନ୍ତି । ତେବେ ନିକଟରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କାର ଭିତରେ ବସିଥିଲେ । ମାତ୍ର ଏହି ସମୟରେ ପୋଲିସ କର୍ମଚାରୀମାନେ ଏକ କ୍ରେନ ସାହାଯ୍ୟରେ ଉକ୍ତ କାରକୁ ଉଠାଇ ନେଇଥିଲେ । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୱାଇଏସଆର ତେଲେଙ୍ଗାନା ପାର୍ଟିର ପ୍ରତିଷ୍ଠାତା-ଅଧ୍ୟକ୍ଷ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା ରେଡ୍ଡୀଙ୍କ କାରକୁ ପୋଲିସ ଉଠାଇ ନେଇଛି । ହାଇଦ୍ରାବାଦ ସ୍ଥିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଫିସ ଅଭିମୁଖେ ଶର୍ମିଲା କାରରେ ଯାଉଥିଲେ । ଏହି ସମୟରେ ଭାରତ ରାଷ୍ଟ୍ର ସମିତିର କାର୍ଯ୍ୟକର୍ତ୍ତାମାନେ ଶର୍ମିଲାଙ୍କୁ ମାରପିଟ କରିଥିବା କୁହାଯାଉଛି ।

ଏହି ଘଟଣାକୁ ବିରୋଧ କରି ଶର୍ମିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାତ୍ରା କରୁଥିଲେ । ଏହାପରେ ଶର୍ମିଲାଙ୍କୁ ଅଟକ ରଖାଯାଇଥିଲା । ଶର୍ମିଲା କାର ଭିତରେ ବସିଥିଲେ ମଧ୍ୟ ପୋଲିସ ତାଙ୍କର ଗାଡ଼ିକୁ ଉଠାଇ ନେଇଥିଲେ । ଶର୍ମିଲାଙ୍କର କିଛି ମହିଳା ସମର୍ଥକ ରାସ୍ତାରୁ ନ ହଟିବାରୁ ସେମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା କୁହାଯାଉଛି । ତେବେ ଶର୍ମିଲା କାରକୁ ନିଜେ ଡ୍ରାଇଭିଂ କରୁଥିବା ଦେଖାଯାଇଥିଲା ।

ଦୀର୍ଘ ସମୟ ପରେ ଶର୍ମିଲା କାରରୁ ବାହାରକୁ ବାହାରିଥିଲେ । ଏହାପରେ ତାଙ୍କୁ ଏସଆର ନଗର ପୋଲିସ ଷ୍ଟେସନକୁ ନିଆଯାଇଥିଲା । ଏହାପୂର୍ବରୁ ଗତକାଲି ଶର୍ମିଲାଙ୍କ ଯାତ୍ରା ସମୟରେ ତାଙ୍କର କାର୍ଯ୍ୟକର୍ତ୍ତାଙ୍କୁ ବିଆରଏସ କାର୍ଯ୍ୟକର୍ତ୍ତାମାନେ ଆକ୍ରମଣ କରିଥିଲେ । ଏପରିକି ସେମାନେ ଗାଡ଼ିର କାଚ ଭାଙ୍ଗିବା ସହ ନିଆଁ ଲଗାଇବାକୁ ମଧ୍ୟ ପ୍ରୟାସ କରିଥିଲେ ।

Get real time updates directly on you device, subscribe now.