fbpx
BJD
BJD SKY
BJD SKY

ଧର୍ମ ନିକିତିରେ ଧର୍ମଶାଳା ରାଜନୀତି, ଆଶାୟୀଙ୍କ ଲମ୍ବା ଲାଇନ୍

ଯାଜପୁର; ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର ଆଉ ମାସ କେଇଟା ବାକି ଥିବା ବେଳେ ସରଗରମ ହୋଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ରାଜନୀତି । ବିଜେଡି ଗଡ ଭାବେ ପରିଚିତ ଥିବା ଏହି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏଥର ଦେଖାଦେଇ ପାରେ ବହୁମୂଖୀ ଲଢେଇ । ଶାସକ ଦଳକୁ ପରାସ୍ତ କାରିବା ଆଶାରେ ରହିଛନ୍ତି ଅନେକ ଛାମୁଆ ନେତା । ଏହି ନେତା ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ବିଜେପି ନେତ୍ରୀ ସ୍ମୃତିରେଖା ପହି, ଯୁବ ସାମଜସେବୀ ହିମାଂଶୁ ଶେଖର ସାହୁ, ସତୀଶ ବିଶ୍ୱାଳ ଓ କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ଭଳି ପ୍ରମୁଖ ଚେହେରା । ବିଶେଷକରି ଦୁର୍ନୀତି ଓ ପରିବାରବାଦ ରାଜନୀତି କଥା ଉଠାଇ ଲୋକଙ୍କ ମନ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରୁଛନ୍ତି ବିରୋଧୀ । କିନ୍ତୁ ବିଜେଡି ତାର ଆସନ ସୁରକ୍ଷିତ ରଖିଥିବା ଭଳି ଇସାରା ଦେଉଛନ୍ତି ବିଧାୟକ ପ୍ରଣବ ବଳବନ୍ତ ରାୟ । ଅନ୍ୟ ଦଳ ଅପେକ୍ଷା ନିର୍ବାଚନ ମଣ୍ଡଳୀରେ ବିଜେଡି ଏବେ ବି ଯଥେଷ୍ଟ ସକ୍ରିୟ ରହିଛି ।

ଯଦି ୨୦୧୯ ସାଧାରଣ ନିର୍ବାଚନ କଥା ଦେଖାଯାଏ, ତାହେଲେ ପୁର୍ବଥର ଭଳି ଏଥର ବି ବହୁମୂଖୀ ଲଢେଇ ନଜରକୁ ଆସିପାରେ । କିନ୍ତୁ ପ୍ରତିଦ୍ୱନ୍ଦୀଙ୍କ ୱାର୍କ ପ୍ଲାନ ଯଦି ସେତିକି ୱାର୍କଆଉଟ୍ ନକରେ ତାହେଲେ ୨୦୧୯ ପରି ଏଥର ବି ଶାସକ ଦଳ ପାଇଁ ୫୦ ହଜାରରୁ ଉର୍ଦ୍ଧ ଭୋଟ୍ ମାର୍ଜିନ କରେଇବା ବେଶୀ ବଡ କଥା ହେବନି । ବିରୋଧୀଙ୍କୁ ସଫଳ ହେବାକୁ ହେଲେ ଏକ ଲମ୍ବା ଅଙ୍କର ମ୍ୟାଚ୍ ଖେଳିବାକୁ ପଡିବ । ଏହା ଭିତରେ ୨୦୧୯ ରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଦେଖା ଦେଇଛି ଅନେକ ନୂଆ ସମୀକରଣ । ୨୦୧୯ ର ବିଜେପି ବିଧାନସଭା ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ଇତି ମଧ୍ୟରେ ବିଜେଡି ଦଳରେ ଯୋଗଦେଇ ସାରିଛନ୍ତି । ସେହିପରି କଂଗ୍ରେସର ପ୍ରାର୍ଥୀ ସ୍ମୃତିରେଖା ପହି କଂଗ୍ରେସ ଛାଡି ପଦ୍ମ ଶିବିରରେ ରହିଛନ୍ତି । ସେହିପରି ସତୀଶ ବିଶ୍ୱାଳଙ୍କ ପରି ସଂଗ୍ରାମୀ ନେତା ଶାସକ ଦଳ ପାଇଁ ଅଡୁଆ ବଢାଇଥିବା ବେଳେ ନୂଆ କରି ପଲିଟିକାଲ ସିନାରିଓ ଭିତରେ ମୁଣ୍ଡ ଟେକିଛନ୍ତି ଧର୍ମଶାଳାର ଜଣାଶୁଣା ସମାଜସେବୀ ତଥା ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ହିମାଶୁଂ ଶେଖର ସାହୁ । ଏମିତିରେ ନୂଆ ନୂଆ ଅନେକ ପ୍ରସଙ୍ଗ ବି ବିରୋଧୀଙ୍କ ହାତରେ ରହିଛି ।

ଧର୍ମଶାଳା ବିଜେପିର ନେତୃତ୍ୱ ଏବେ ସ୍ମୃତିରେଖାଙ୍କ ହାତରେ ଥିବା ବେଳେ ଦଳକୁ ସକ୍ରିୟ କରିବାକୁ ଯାଇ ଦଳରେ ଯୋଗଦେବାକୁ ଯାଉଛନ୍ତି ହିମାଂଶୁ ଶେଖର ସାହୁ(ବିଜେଡି ନେତା) । ପ୍ରତି ପଞ୍ଚାୟତରେ ପରିବର୍ତ୍ତନ ସଭା ଆଳରେ ଏକ ପ୍ରକାରର ଶକ୍ତି ପଦର୍ଶନ କରୁଛନ୍ତି ହିମାଂଶୁ । ପରିବାରବାଦ ରାଜନୀତି, ଦୁର୍ନୀତି, ଖଣି ଚୋରି କଥା ଉଠାଇ ସିଧାସଳଖ ବିଧାୟକଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଯାହା ଆଗାମୀ ଦିନରେ ବିଜେଡି ଉପରେ ଏକ ବଡ ପ୍ରଭାବ ପକାଇପାରେ ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ଚାଲିଛି । ହିମାଂଶୁଙ୍କ ପାଖରେ ଅନେକ ଜନ ସମର୍ଥନ ରହିଥିବା ବେଳେ ବିଶେଷକରି ଯୁବ ଭୋର୍ଟସଙ୍କ ସମର୍ଥନ ତାଙ୍କ ପାଇଁ ବେଶ୍ ଗୁରୁତ୍ୱ ରଖିଛି । ଆଗାମୀ ଦିନରେ ବିଜେପି ଟିକେଟକୁ ନେଇ ହିମାଂଶୁ ଓ ପହିଙ୍କ ଭିତରେ ଦ୍ୱନ୍ଦ ବି ଉପୁଜିପାରେ, କାରଣ ଉଭୟେ ହେଉଛନ୍ତି ଟିକେଟ ଆଶାୟୀ । କିନ୍ତୁ ୨୦୨୪ ନିର୍ବାଚନରେ ଯଦି ଏହି ଦୁଇ ନେତା ମିଶିକି ବିଜେଡି ବିରୋଧରେ ଲଢନ୍ତି, ତାହେଲେ ହୁଏତ ବିଜେପି ଫଳପ୍ରଦ ହୋଇପାରେ ବୋଲି ଆକଳନ କରାଯାଉଛି ।

ଆଉ ବାକି ରହିଲା କଂଗ୍ରସ କଥା ଦଳ ଧର୍ମଶାଳାରେ ସେତେଟା ମଜବୁତ ନଥିବା ଦେଖିବାକୁ ମିଳୁଛି । ହେଲେ ଏଥର ସିଧାସଳଖ ନହେଲେ ବି ଶାସକ ଦଳକୁ ପରାସ୍ତ କରିବାରେ କଂଗ୍ରେସର ବଡ ଭୂମିକା ରହିପାରେ । ଏହାର ଅର୍ଥ ହେଉଛି ଯଦି କଂଗ୍ରେସ ବିଜେଡିର କିଛି ପରିମାଣରେ ଭୋଟ ଭାଙ୍ଗି ତାର ବାକ୍ସରେ ରଖିପାରେ ତାହେଲେ ବିଜେପିକୁ ଜିତିବା ଟିକିଏ ସହଜ ହୋଇପାରେ । ଧର୍ମର ଦ୍ୱାହି ଦେଇ ରଣାଙ୍ଗନ ପ୍ରସ୍ତୁତ କରୁଥିବା ଏହି ସମସ୍ତ ନେତାଙ୍କ ଭାଗ୍ୟ ଏବେ ଧର୍ମ ନିକିତି ଉପରେ ନିର୍ଭର କରୁଛି ।

ସୂଚନା ଥାଉକି, ଏହି ନିର୍ବାଚନ ମଣ୍ଡଳୀର ୧୫ ଜୋନ ନମ୍ବର ଜୋନ ଲାଗି ହେଉଥିବା ଉପନିର୍ବାଚନ ପାଇଁ ଆଜି ମତଦାନ ଗ୍ରହଣ ସରିଛି । ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବ ଏହାର ଫଳାଫଳ ତେବେ କେଉଁ ଦଳ ଏଥିରେ ସଫଳ ହେବ ଏହାକୁ ନେଇ ସମସ୍ତଙ୍କ ନଜର ମଧ୍ୟ ରହିଛି ।

Get real time updates directly on you device, subscribe now.