fbpx
BSKY
BJD MC SKY
BJD YOUTH SKY

ଆଜି ୧୨ଟି ରାଜ୍ୟର ୯୩ଟି ଆସନ ପାଇଁ ମତଦାନ ଆରମ୍ଭ, ରେକର୍ଡ଼ ସଂଖ୍ୟାରେ ମତଦାନ କରିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ପାଇଁ ୩ୟ ପର୍ଯ୍ୟାୟ ମତଦାନ । ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ । ଗୁଜରାଟ(୨୫), କର୍ଣ୍ଣାଟକ(୧୪), ମହାରାଷ୍ଟ୍ର(୧୧), ଉତ୍ତରପ୍ରଦେଶର(୧୦), ମଧ୍ୟପ୍ରଦେଶ(୯), ବିହାର(୫), ପଶ୍ଚିମବଙ୍ଗ(୪), ଆସାମ(୪), ଗୋଆ ଏବଂ ଦାମନ ଡିଉର ପ୍ରତ୍ୟେକ ୨ଟି ଆସନ ସାମିଲ ରହିଛି । ତୃତୀୟ ପର୍ଯ୍ୟାୟରେ ମୋଟ୍ ୧୩୫୧ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଗୁଜରାଟର ସୁରଟ ଆସନରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଥିବାରୁ ଚଳିତ ପର୍ଯ୍ୟାୟ ଭୋଟ୍ ଗ୍ରହଣରୁ ଏହା ବାଦ୍ ପଡ଼ିଛି । ଅପରପକ୍ଷରେ ଗୁଜରାଟର ଅହମଦାବାଦରେ ମତଦାନ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚଳିତ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଆଜିର ୩ୟ ଚରଣରେ ମତଦାନ କରୁଥିବା ମତଦାତାଙ୍କୁ ‘ରେକର୍ଡ଼ ସଂଖ୍ୟାରେ’ ଭୋଟ୍ ଦେବା ପାଇଁ ଅନୁରୋଧ । ସେମାନଙ୍କ ସକ୍ରୀୟ ଯୋଗଦାନ ନିଶ୍ଚିତ ଭାବରେ ନିର୍ବାଚନକୁ ଅଧିକ ଜୀବନ୍ତ କରିବ ।’ ନିର୍ବାଚନକୁ ଦୃଷ୍ଟିରେ ରଖି ମତଦାନ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଭୋଟରଙ୍କ ସୁବିଧା ପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ ରହିଛି । ଏଥିପାଇଁ ୪ ହଜାର ୩୦୩ ପ୍ଲାଇଂ ସ୍କ୍ୱାଡ୍ ଓ ୧୯୮୭ ଭିଡିଓ ସର୍ଭିଲାନ୍ସ ଟିମ୍ ମୁତୟନ ହୋଇଛନ୍ତି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଥିବାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ପାନୀୟ ଜଳର ବନ୍ଦୋବସ୍ତ ସହ ଖରାରୁ ମୁକ୍ତି ଦେବାକୁ ସେଡିଂ ବ୍ୟବସ୍ଥା ମଧ୍ୟ ହୋଇଛି । ଅନେକ ମତଦାନ କେନ୍ଦ୍ରରେ ଭୋଟରଙ୍କୁ ନେବା ଆଣିବା କରିବା ପାଇଁ ନିର୍ବାଚନ କମିସନ ଦ୍ୱାରା ବାଇକ୍ ସର୍ଭିସର ବ୍ୟବସ୍ଥା କରାଯାଇଛି । ସେପଟେ ଆଜି ଅନେକ ହେଭିୱେଟ ନେତାଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ । ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାୱାରଙ୍କ ଝିଅ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେବେ ମତଦାନ ପରେ ଭୋଟରଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବିଶେଷ ବାର୍ତ୍ତା ଦେଇଛନ୍ତି । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛି ।

 

 

Get real time updates directly on you device, subscribe now.