fbpx

କ୍ଷମତା ବଦଳିବାରୁ ସ୍ୱର ବି ବଦଳିଲା, ନେପାଳ କହିଲା- ଭାରତ ସ୍ପେଶାଲ, ଚୀନ କେବେ ବି ଏହାର ସ୍ଥାନ ନେଇ ପାରିବ ନାହିଁ

ନୂଆଦିଲ୍ଲୀ : ନେପାଳରେ ବର୍ତ୍ତମାନ ନେପାଳି କଂଗ୍ରେସର ସରକାର । ଆଉ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତିି ଶେର ବାହାଦୂର ଦେଉବା । ପ୍ରଧାନମନ୍ତ୍ରୀ ପଦ ଦାୟିତ୍ୱ ଗ୍ରହଣ କରିବାରେ ତାଙ୍କୁ ଏକ ମାସ ହୋଇଗଲାଣି । ଏହା ପୂର୍ବରୁ କେପି ଶର୍ମା ଓଲି ଥିଲେ ନେପାଳର ପ୍ରଧାନମନ୍ତ୍ରୀ । ତାଙ୍କ କାର୍ଯ୍ୟକାଳରେ ଭାରତ-ନେପାଳ ସଂପର୍କରେ ତିକ୍ତତା ଭରି ରହିଥିଲା । କିନ୍ତୁ କ୍ଷମତା ବଦଳିବା ପରେ ନେପାଳ ସ୍ୱରରେ ଆସିଛି ପରିବର୍ତ୍ତନ । ଏବେ ନେପାଳି କଂଗ୍ରେସ ଭାରତ ଓ ଚୀନକୁ ନେଇ ବଡ ବୟାନ ଦେଇଛି । ଚୀନ ‘ସ୍ୱତନ୍ତ୍ର’ ପଡୋଶୀ ଭାବେ ଭାରତର ସ୍ଥାନ କେବେ ବି ନେଇ ପାରିବ ନାହିଁ ବୋଲି ନେପାଳ କହିଛି ।

ପାର୍ଟି ଲିମ୍ପିଆଧୁରା-କାଲାପାନି-ଲିପୁଲେଖ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉପରେ ଜୋର ଦେଇଛି । ନିକଟରେ ପ୍ରଧାନମନ୍ତ୍ରୀ ଦେଉବା ନିଜର ମେଣ୍ଟ ସହଯୋଗୀଙ୍କ ସହ ମିଶି ସର୍ବନିମ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ନେପାଳ ଗତ ବର୍ଷ ଲିମ୍ପିଆଧୁରା-କାଲାପାନି-ଲିପୁଲେଖ ଅଞ୍ଚଳକୁ ନିଜ ମାନଚ୍ଚିତ୍ରରେ ସ୍ଥାନିତ କରି ନିଜର ବୋଲି ଦାବି କରିଥିଲା ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ନେପାଳର ପୂର୍ବତନ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଓ ନେପାଳି କଂଗ୍ରେସର ବରିଷ୍ଠ ନେତା ଉଦୟ ଶମଶେର କହିଛନ୍ତି, ନେପାଳ ‘ପଡୋଶୀ ପ୍ରଥମେ’ ସିଦ୍ଧାନ୍ତରେ କାମ କରି ଚାଲିବ । ଏଥିସହ ପଡୋଶୀ ଦେଶ ସହ ସୌହାର୍ଦ୍ଦ୍ୟ ସଂପର୍କକୁ ଜାରି ରଖିବ । ସେ କହିଛନ୍ତି ନେପାଳକୁ ଚୀନର ଆବଶ୍ୟକତା ରହିଛି ଏବଂ ଚୀନ ଆମର ଉତ୍ତମ ପଡୋଶୀ । କିନ୍ତୁ ଭାରତ ଆମ ପାଇଁ ସ୍ୱତନ୍ତ୍ର । ଚୀନ କେବେ ବି ଭାରତର ସ୍ଥାନ ନେଇ ପାରିବ ନାହିଁ ।

ନେପାଳକୁ ନେଇ ଭାରତର କହିବା କଥା ନେପାଳ, ଭାରତ ପାଇଁ ରଣନୈତିକ ମହତ୍ୱ ବହନ କରୁଛି । ବିଜେପିର ମୁଖପାତ୍ର ଗୋପାଳକୃଷ୍ଣ ଅଗ୍ରୱାଲ କହିଛନ୍ତି, ନୂଆଦିଲ୍ଲୀ କାଠାମାଣ୍ଡୁ ସହ ଦ୍ୱିପାକ୍ଷିକ ସଂପର୍କ ମଜବୁତ କରିବା ପାଇଁ ପ୍ରତିବଦ୍ଧ । କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ଅନୁଯାୟୀ, ଭାରତ ବଡସ୍ତରରେ ନେପାଳର ବିକାଶରେ ସହଯୋଗ କରୁଛି । ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଜଳ ସମ୍ବଳ, ଶିକ୍ଷା, ଗ୍ରାମାଞ୍ଚଳ ଓ ସମୁଦାୟ ବିକାଶ ଆଦିକୁ ନେଇ ତୃଣମୂଳ ସ୍ତରରେ କାମ କରୁଛି ।

Get real time updates directly on you device, subscribe now.