CHARIDHAM

ମନ୍ତ୍ରୀ ପଦରୁ ଆଜି କାହିଁକି ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ଜାଣନ୍ତୁ

ଭୁବନେଶ୍ୱର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଆଜି ନିଜ ମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି। ବିଜେଡି ପକ୍ଷରୁ ବୁଧବାର ବାଚସ୍ପତି ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ନାମାଙ୍କନପତ୍ର ଦାଖଲ ପୂର୍ବରୁ ସେ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି।

ଆସନ୍ତା ୨୨ ତାରିଖ ସକାଳ ୯ଟାରେ ବିଧାନସଭାରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ହେବ। ବିଧାନସଭାରେ ଅନ୍ୟ କୌଣସି ଦଳ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀ ଦେଉ ନ ଥିବାରୁ ଏବଂ ବିଜେଡି ସଂଖ୍ୟାଗରିଷ୍ଠ ଥିବାରୁ ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ରହିଛି। ଏଥିସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ। ସୂଚନାଯୋଗ୍ୟ,ଗତ ଜୁନ୍‌ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରଠାରୁ ଉକ୍ତ ପଦବୀ ଖାଲିପଡ଼ିଛି। ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଏବେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖ ସକାଳ ସାଢେ ୯ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ଏହି ବରିଷ୍ଠ ଆସନ ପାଇଁ ପ୍ରମିଳାଙ୍କ ନାଁରେ ମୋହର ମାରିଛି ବିଜୁ ଜନତା ଦଳ । ଯାଜପୁର ଜିଲ୍ଲା ବିଞ୍ଝାରପୁରରୁ ଲଗାତାର ୬ ଥର ପାଇଁ ସେ ବିଧାୟିକା ଭାବରେ ନିର୍ବାଚିତ ହୋଇଛନ୍ତି ।