fbpx

ବାତ୍ୟାରେ ଶୂନ୍ୟ ଜୀବନହାନିକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ  ଓ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ଅମ୍ଫାନ ପାଇଁ ବେଶି ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ମଧ୍ୟ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଓଡ଼ିଶାବାସୀ ମହାବାତ୍ୟାଠାରୁ ଆରମ୍ଭ କରି ଫନି, ତିତଲି, ବୁଲବୁଲ , ଫାଇଲିନ, ହୁଡ଼ହୁଡ଼ ଆଦି ବହୁ ବାତ୍ୟାର ମୁକାବିଲା କରିଛନ୍ତି । ତେଣୁୁ ଆତଙ୍କିତ ନହୋଇ ଅମ୍ଫାନ ମୁକାବିଲା କରିବା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନଡ଼ିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରହିବା ସହ ବିପଦ ଶଙ୍କୁଳ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ଓ ବିକଳ୍ପ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟାରେ ଶୂନ୍ୟ ଜୀବନହାନିକୁ ସୁନିଶ୍ଚିତ କରିବାକ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବାତ୍ୟା ଅମ୍ଫାନର ମୁକାବିଲା କରିବା ପାଇଁ ୧୧ଲକ୍ଷ ଲୋକ ରହିବା ପାଇଁ ୫୬୭ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ୭୦୦୦ ପକ୍କା ଘର ପ୍ରସ୍ତୁତ ରଖାଯାଇଛି ।

Get real time updates directly on you device, subscribe now.