ଚଳନ୍ତା ଟ୍ରେନରେ ଗର୍ଭବତୀ ମହିଳାଙ୍କୁ ଯୌନ ଶୋଷଣ, ଚିତ୍କାର କରିବାରୁ ଠେଲିଦେଲେ, ଜଣେ ଅଟକ

ଭେଲୋର: ଚଳନ୍ତା ଟ୍ରେନରୁ ଜଣେ ଗର୍ଭବତି ମହିଳାଙ୍କୁ ଠେଲିଦେଲେ ୨ ଯୁବକ । ଟ୍ରେନରୁ ପଡ଼ି ଗର୍ଭବତୀ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ଏକ ସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି ।

ଏହି ମାମଲାରେ ସମ୍ପୃକ୍ତ ଜଣେ ସନ୍ଦିଗ୍ଧକୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଭେଲୋର ଜିଲ୍ଲାରେ ।

ମାମଲା କ’ଣ: ଗୁରୁବାର(ଫେବୃଆରୀ ୬) ରାତିରେ ଜଣେ ଗର୍ଭବତୀ ମହିଳା ତିରୁପତି ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ଆନ୍ଧ୍ରପ୍ରଦେଶ ଚିତ୍ତୋର ସ୍ଥିତ ତାଙ୍କ ମାଆଙ୍କ ଘରକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା ।

ମହିଳା କମ୍ପାର୍ଟମେଣ୍ଟରେ ଦୁଇ ଯୁବକ ତାଙ୍କୁ ଶୌଚାଳୟ ପର୍ଯ୍ୟନ୍ତ ପିଛା କରିଥିଲେ । ସେଠାରେ ପ୍ରଥମେ ମହିଳାଙ୍କୁ ମୌଖିକ ଦୁର୍ବ୍ୟବହାର କରିବା ସହ ପରେ ଯୌନ ଶୋଷଣ କରିଥିଲେ ।

ମହିଳା ଜଣଙ୍କ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଏଥିରେ ଭୟଭୀତ ହୋଇ ୨ ଯୁବକ ଉକ୍ତ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ତଳକୁ ଫିଙ୍ଗି ଦେଇଥିଲେ ।

ଗୁୁରୁତର ମହିଳା: ଚଳନ୍ତା ଟ୍ରେନରୁ ପଡ଼ି ଗର୍ଭବତୀ ମହିଳାଙ୍କ ଗୋଡ଼ ଏବଂ ହାତରେ ଫ୍ରାକ୍‌ଚର ଆସିଥିଲା ଏବଂ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା ।

ତଦନ୍ତ ଜାରି: ଜୋଲାରପେଟାଇ ରେଳବାଇ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ପୋଲିସ ଜଣେ ସନ୍ଦିଗ୍ଧ ହେମରାଜଙ୍କୁ ଅଟକ ରଖି ପଚରାଉଚରା ଚଲାଇଛି । ଅନ୍ୟ ଜଣେ ସନ୍ଦିଗ୍ଧକୁ ପୋଲିସ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି ।