fbpx

ପ୍ରତିଶୋଧ ନେଲେ ପୁଟିନ୍, ରାଷ୍ଟ୍ରପତି ବାଇଡେନ୍ ଏବଂ ୟୁଏସ ଅଧିକାରୀଙ୍କ ଉପରେ ଲଗାଇଲେ କଟକଣା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ରୁଷ ଉପରେ କଡା କଟକଣା ଲଗାଇଛନ୍ତି। ତେବେ ରୁଷ ପ୍ରତିଜବାବରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ହିଲାରୀ କ୍ଲିଣ୍ଟନ ସମେତ ଆମେରିକାର ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି।

ୟୁକ୍ରେନ ଏବଂ ରୁଷ ସେନା ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଯୁଦ୍ଧର ୨୦ ତମ ଦିନରେ ମଧ୍ୟ ରୁଷ ସେନା ନିଜର ବିଧ୍ଵଂସକ ମିସାଇଲ ଜରିଆରେ ୟୁକ୍ରେନ ମାଟିରେ ତାଣ୍ଡବଲୀଳା ମଚାଇ ଚାଲିଛି। ୟୁକ୍ରେନରେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟିଲାଣି। ଅକଥନୀୟ ଧନସଂପତ୍ତି ଧ୍ଵଂସ ପାଇ ସାରିଛି। ଲକ୍ଷାଧିକ ସଂଖ୍ୟାରେ ଲୋକେ ୟୁକ୍ରେନ ଛାଡି ସାରିଲେଣି। ଏମିତିରେ ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ କଟକଣାର ବର୍ଷା କରିଛନ୍ତି। ରୁଷ ମଧ୍ୟ ପ୍ରତି ଜବାବ ଦେଇ ଆମେରିକା ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଉପ ରାଷ୍ଟ୍ରପତି ହିଲାରୀ କ୍ଲିଣ୍ଟନଙ୍କ ସମେତ ଅନେକ ଉଚ୍ଚ ପଦସ୍ଥ ଆମେରିକୀୟ ଅଧିକାରୀଙ୍କ ଉପରେ ରୁଷ କଟକଣା ଲଗାଇଥିବା ରୁଷ ମିଡିଆ ସ୍ପୁଟନିକ ସୂଚନା ଦେଇଛି।

ଏହା ପୂର୍ବରୁ ଆମେରିକା ରୁଷରୁ ଆମଦାନୀ ହେଉଥିବା ତେଲ, ଗ୍ୟାସ୍ ଏବଂ ଏନର୍ଜି ଉପରେ କଟକଣା ଲଗାଇଥିଲା। ଏପରିକି ଆମେରିକା, ୟୁରୋପୀୟ ୟୁନିୟନ ଏବଂ ୟୁକେ ମିଶି କିଛି ରୁଷ ସହ ବ୍ୟାଙ୍କିଙ୍ଗ ସଂପର୍କ ମଧ୍ୟ ଛିନ୍ନ କରି ସାରିଛନ୍ତି। ଅନେକ ବିଶ୍ଵସ୍ତରୀୟ ସଂସ୍ଥା ରୁଷରେ ନିଜର କାରବାର ବନ୍ଦ କରିବାକୁ ଘୋଷଣା କରି ସାରିଛନ୍ତି।

Get real time updates directly on you device, subscribe now.