fbpx

କେବଳ ସଙ୍ଗୀତ ନୁହେଁ, ସାହିତ୍ୟ ଓ ରାଜନୀତିରେ ବି ପାରଙ୍ଗମ ଥିଲେ ପ୍ରଫୁଲ୍ଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁଦିନ ପାଇଁ ନିରବୀ ଯାଇଛନ୍ତି ଓଡ଼ିଶାର ସଙ୍ଗୀତ ଜଗତର ମଉଡ଼ମଣି ପ୍ରଫୁଲ୍ଲ କର । ୮୩ ବର୍ଷ ବୟସରେ ସାରା ଓଡ଼ିଶାବାସୀଙ୍କୁ କନ୍ଦାଇ ଆର ପାରିକୁ ସବୁଦିନ ପାଇଁ ଚାଲିଯାଇଛନ୍ତି ସେ । ୧୯୩୯ ମସିହାରେ ଜନ୍ମଗ୍ରହଣ କରିଥିବା ପ୍ରଫୁଲ୍ଲ ୭୦ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିବା ସହ ସହ ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସଙ୍ଗୀତର ଯେଉଁ ମୂର୍ଚ୍ଛନା ଛାଡ଼ି ଯାଇଛନ୍ତି ତାହାକୁ ଯୁଗ ଯୁଗ ପାଇଁ ଭୁଲିପାରିବେ ନାହିଁ ସଙ୍ଗୀତପ୍ରେମୀ ।

ଆଜି ପ୍ରଫୁଲ୍ଲ ଆମ ଗହଣରେ ନାହାନ୍ତି ସତ, ହେଲେ ତାଙ୍କର ସ୍ମୃତି ସବୁ ଅଭୁଲା ହୋଇ ରହିଛି । ଏକଦା ‘ମମତା’ ଫିଲ୍ମର ଗୀତ ରେକର୍ଡିଂ ମାଡ୍ରାସରେ ଚାଲିଥିବା ବେଳେ ଜଣେ ଗୀଟାର ବାଦକ ପ୍ରଫୁଲ୍ଲଙ୍କୁ ଗୀତରେ ବିମୁଗ୍ଧ ହୋଇଯାଇଥିଲେ । ପରବର୍ତ୍ତୀ ଉକ୍ତ ଗୀଟାର ବାଦକ ଜଣଙ୍କ ତାମିଲ ଫିଲ୍ମ ଇଷ୍ଟଣ୍ଡ୍ରିରେ ଜଣେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପାଲଟି ଯାଇଥିଲେ । ସେହିପରି ବଲିଉଡ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲଙ୍କ ସହ ପ୍ରଫୁଲ୍ଲ ୮ଟି ଗୀତ ପ୍ରସ୍ତୁତ କରିଥିଲେ । ଟି-ସିରିଜର ମାଲିକ ଗୁଲସନ କୁମାର ପ୍ରଫୁଲ୍ଲଙ୍କୁ ଏହି ସୁଯୋଗ ଦେଇଥିଲେ । ସେଥିମଧ୍ୟରୁ ଗୋଟିଏ ଗୀତ ହେଉଛି ‘କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା’ ।

ଏହି ଗୀତଗୁଡ଼ିକ ଓଡ଼ିଶାର ଘରେ ଘରେ ଖୁବ୍ ପରିଚିତ ହୋଇଯାଇଥିଲା । ଏହି ଗୀତ ପାଇଁ ପ୍ରଫୁଲ୍ଲ ମାତ୍ର ୧୦ ହଜାର ଟଙ୍କା ପାରିଶ୍ରମିକ ମାଗିଥିଲେ । ମାତ୍ର ଗୁଲସନ ତାଙ୍କୁ ଏକ ବ୍ଲାଙ୍କ ଚେକ୍ ଦେଇ ନିଜ ମନ ଇଚ୍ଛା ସଂଖ୍ୟା ଭରିବାକୁ କହିଥିଲେ । ମାତ୍ର ଏହାକୁ ପ୍ରଫୁଲ୍ଲ ପ୍ରତ୍ୟାଖ୍ୟାନ କରିଦେଇ କେବଳ ୧୦ ହଜାର ହିଁ ଦାବି କରିଥିଲେ । ପ୍ରଫୁଲ୍ଲ ଯେ ଅର୍ଥ ଆଗରେ ସଙ୍ଗୀତକୁ ବିକ୍ରି କରିନଥିଲେ ତାହା ଏଥିରୁ ପ୍ରମାଣିତ ହେଉ ନାହିଁ କି? ପ୍ରଫୁଲ୍ଲ ତାଙ୍କର ସ୍ତମ୍ଭକୁ ନେଇ ‘ସାଉଁଟା କାହାଣୀ’ ନାମକ ଏକ ପୁସ୍ତକ ପ୍ରସ୍ତୁତ କରିଥିଲେ । ୧୯୯୫ ମସିହାରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ପୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି କମ୍ ଭୋଟରେ ପରାଜୟ ବରଣ କରିଥିଲେ । ନିଜର ସ୍ୱଳ୍ପ ସମୟର ରାଜନୈତିକ ଜୀବନକୁ ନେଇ ସେ ‘ଯାହା କହୁଛି ସତ କହୁଛି’ ନାମରେ ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ ।

Get real time updates directly on you device, subscribe now.