fbpx

ସ୍ଥଗିତ ହେଲା ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ: ଡିସେମ୍ବର ସୁଦ୍ଧା ପୂରଣ ହେବ ଦାବି, ରାଜ୍ୟ ସରକାର ଦେଲେ ପ୍ରତିଶ୍ରୁତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟର ପ୍ରାଥମିକ ଶିକ୍ଷକମାନେ ରାଜ୍ୟ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ । ଶିକ୍ଷକ ସଂଘ ଆନ୍ଦୋଳନରେ ସାମିଲ ହେବା ଦ୍ୱାରା ସ୍କୁଲଗୁଡ଼ିକରେ ପାଠପଢ଼ା ବ୍ୟାହତ ହୋଇଥିଲା । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ସେପ୍ଟେମ୍ବର ମାସ ୧୯ ତାରିଖ ଅର୍ଥାତ ପବିତ୍ର ଗଣେଣ ପୂଜାରୁ ସମସ୍ତ ପ୍ରାଥମିକ ଶିକ୍ଷକ ସ୍କୁଲରେ ଯୋଗଦେବେ ।

ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସଂଘ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରାଥମିକ ଶିକ୍ଷକ ମହାସଂଘ ମହାସଚିବ ସୂଚନା ଦେଇଛନ୍ତି । ଶିକ୍ଷକଙ୍କ ଦାବିକୁ ସରକାର ଗୁରୁତ୍ୱର ସହ ନେବା ସହ ସେଥିପାଇଁ ସମୟ ନେଇଛନ୍ତି । ଏହି ସମୟ ମଧ୍ୟରେ ସରକାର ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବେ ।

ଅନ୍ୟପଟେ ଏହି ଆନ୍ଦୋଳନକୁ ନେଇ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଶିକ୍ଷକଙ୍କ ଦାବି ସମ୍ପର୍କରେ ସହୃଦୟତାର ସହ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗ୍ରେଡ୍ ପେ’ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନସନ ଲାଗୁ, ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକଙ୍କୁ ନିୟମିତ କରିବା ଆଦି ବିଭିନ୍ନ ଦାବି ନେଇ ଗତ ୮ ତାରିଖରୁ ପ୍ରାଥମିକ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ।

Get real time updates directly on you device, subscribe now.