fbpx
BJD SKY
BJD SKY

ଉଦାହରଣ ସୃଷ୍ଟି କଲେ ବିଚାରଧୀନ କଏଦୀ, ଆଇଆଇଟି ଜାମରେ କଲେ କ୍ଵାଲିଫାଏ, ୫୪ତମ ରାଙ୍କ ହାସଲ

BJD

ନୂଆଦିଲ୍ଲୀ: କୁହାଯାଏ ଯେବେ ମଣିଷର ଇଚ୍ଛା ଶକ୍ତି ଦୃଢ ହୋଇଯାଏ ସେ ସବୁ କିଛି କରିପାରେ। ନିଜର ଲକ୍ଷ୍ୟ ହାସଲ କରିବାକୁ କେବେ ବି ପଛଘୁଞ୍ଚା ଦେଇନଥାଏ। ଏମିତି କିଛି ପ୍ରମାଣ କରି ଦେଖାଇଛନ୍ତି ନଓ୍ଵାଦା ମଣ୍ଡଳ କାରାଗାରର ଜଣେ ବନ୍ଦୀ ସୁରଜ କୁମାର। ଜେଲରେ ରହି ସୁରଜ ଆଇଆଇଟିର ଜଏଣ୍ଟ ଆଡମିଶନ ଟେଷ୍ଟ ଫର ମାଷ୍ଟର୍ସ(ଜେଏଏମ)ର ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଗତ ସପ୍ତାହରେ ଜାରି ଫଳାଫଳରେ ସୁରଜ ସର୍ବଭାରତୀୟ ସ୍ତରରେ ୫୪ତମ ରାଙ୍କ ହାସଲ କରିଛନ୍ତି। ଏବେ ସେ ଆଇଆଇଟି ରୁଡକିରେ ଆଡମିଶନ ନେଇ ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ପଢି ପାରିବେ।

ପରିଜନଙ୍କ ଅନୁଯାୟୀ, ସୁରଜଙ୍କ ଏହି ସଫଳତା ପଛରେ ତତ୍କାଳୀନ ମଣ୍ଡଳ କାରାଗାର ଅଧୀକ୍ଷକ ଅଭିଷେକ କୁମାର ପାଣ୍ଡେ ମହତିଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ସୁରଜଙ୍କ ପାଠପଢା ପ୍ରତି ଆଗ୍ରହ ଥିବା ଜାଣିବା ପରେ ଜେଲ୍ କର୍ତ୍ତୃପକ୍ଷ ଜେଲ୍ ଭିତରେ ବହି ଏବଂ ନୋଟ୍ ବୁକ୍ସ ସମେତ ଅନ୍ୟ ପଢା ସାମଗ୍ରୀ ଯୋଗାଇ ଦେଇଥିଲେ। ଏହି କାରଣରୁ ସୁରଜଙ୍କ ପଢା ପ୍ରତି ଉତ୍ସାହ ବଢିବାରେ ଲାଗିଥିଲା। ଜେଲ୍ ଭିତରେ ପ୍ରସ୍ତୁତ କରି ସେ ଏବେ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ଫେବୃଆରୀ ୧୩ରେ ଜେଲରୁ ପାରୋଲରେ ଯାଇ ସେ ପରୀକ୍ଷା ଦେଇଥିଲେ।

ସୁରଜ କୁମାର ଓରଫ କୌଶଳେନ୍ଦ୍ର କୁମାର ହେଉଛନ୍ତି ବାରିସଲିଗଞ୍ଜର ମୋସମା ଗାଁର ଅର୍ଜୁନ ଯାଦବଙ୍କ ପୁଅ। ସେ ଏହା ପୂର୍ବରୁ ଆଇଆଇଟି ଜେଇଇର ପରୀକ୍ଷା ପାଇଁ କୋଟାରେ ରହି ଗୋଟିଏ ବର୍ଷ ପ୍ରସ୍ତୁତି କରୁଥିଲେ। ତେବେ ଗାଁରେ ନାଳ ବିବାଦରେ ମାରପିଟ୍ କାରଣରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ସୁରଜଙ୍କୁ ୨୦୨୧ ଏପ୍ରିଲ ୧୯ରେ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା। ଜେଲ୍ ଯିବା ପରେ ସେ ଭାଙ୍ଗି ପଡିଥିଲେ। କିନ୍ତୁ କାରାଗାର ଅଧୀକ୍ଷକ ତାଙ୍କୁ ପ୍ରେରଣାଦାୟୀ ଭାଷଣ ଶୁଣିବା ଏବଂ କ୍ରିଏଟିଭିଟି ଦେଖିବାକୁ ପରାମର୍ଶ ଦେଉଥିଲେ। ସେ ସୁରଜଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଥିଲେ।

Get real time updates directly on you device, subscribe now.