fbpx

ପ୍ରାଇଭେଟ୍ ଚାକିରି, କମ୍ ଦରମା…..ରିଟାୟରମେଣ୍ଟ୍ ପରେ କେମିତି କରିବେ ପ୍ଲାନ୍ ?

ଓଡ଼ିଶା ଭାସ୍କର: ସାଧାରଣତଃ ପଢ଼ା ଶେଷ ହେବା ପରେ ଅଧିକାଂଶ ଯୁବପିଢ଼ି ଚାକିରି ସନ୍ଧାନରେ ବ୍ୟସ୍ତ ହୋଇଯାନ୍ତି । ଚାକିରି କରିବା ପୂର୍ବରୁ ମନରେ ପ୍ରଥମ ପ୍ରଶ୍ନ ଆସେ ଯେ ଦରମା କେତେ ମିଳିବ ? ବିଶେଷ କରି ପ୍ରାଇଭେଟ୍ ଚାକିରିରେ । ପ୍ରଥମେ ପ୍ରଥମେ ପ୍ରାଇଭେଟ୍ ସେକ୍ଟରରେ ଅଧିକ ପ୍ୟାକେଜ୍ ଯୁବପିଢ଼ିଙ୍କୁ ଆକର୍ଷିତ କରିଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ବସି ଖାଇଲେ ନଈ ବାଲି ସରିଲା ପରି ସ୍ଥିତି ଉପୁଜିଥାଏ । କାରଣ ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଟଙ୍କା ସଞ୍ଚୟ କରିବାର ମାନସିକତା ଦେଖିବାକୁ ମିଳୁନାହିଁ । ଏଭଳି ସ୍ଥିତିରେ ସେମାନଙ୍କୁ ଅବସର ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଦେଖିବାକୁ ଗଲେ ପ୍ରାୟ ୩୦ ବର୍ଷ ଭିତରେ ସମସ୍ତେ ବୃତ୍ତିଗତ ଜୀବନରେ ପାଦ ଥାପିଥାନ୍ତି । କିନ୍ତୁ ଅଧିକାଂଶ ବ୍ୟକ୍ତି ୪୦ ବର୍ଷ ପରେ ସଞ୍ଚୟ କରିବା ଆରମ୍ଭ କରିଥାନ୍ତି । ସମସ୍ତେ ଅବସର ଜୀବନକୁ ସୁଖ ଶାନ୍ତିରେ ବିତାଇବାକୁ ଚାହିଁଥାନ୍ତି । ତେଣୁ ପ୍ରାଇଭେଟ୍ ସେକ୍ଟରରେ ଚାକିରି କରୁଥିଲେ ରିଟାୟରମେଣ୍ଟ ପ୍ଲାନିଂ କରିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ଆସନ୍ତୁ ଜାଣିବା ।

୧. ମୁଦ୍ରାସ୍ଫୀତି: ଆମକୁ ସବୁବେଳେ ମନେ ରଖିବାକୁ ପଡ଼ିବ ଯେ ଅବସର ପରେ ଜଣେ ସମ୍ପୂର୍ଣ୍ଣ ଭାବେ ସଞ୍ଚିତ ଅର୍ଥ ଉପରେ ନିର୍ଭର କରିଥାଏ । ଯଦି ଆପଣଙ୍କ ନିବେଶ ମୁଦ୍ରାସ୍ଫୀତି ଠାରୁ ବୃଦ୍ଧି ପାଉନାହିଁ ତେବେ ଆପଣଙ୍କ ଅର୍ଥ ସଞ୍ଚୟର କୈଣସି ଲାଭ ହେବ ନାହିଁ । ଅର୍ଥାତ ଆପଣଙ୍କ ଅବସର ପାଣ୍ଡି ଶୀଘ୍ର ଶେଷ ହୋଇଯିବ । ତେଣୁ ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସେବା, ଘର ସହ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ବିଷୟରେ ପୂର୍ବରୁ ଏକ ଆକଳନ କରିବା ଆବଶ୍ୟକ । ଆପଣ ଚାହିଁଲେ ଆର୍ଥିକ ପରାମର୍ଶଦାତାଙ୍କ ସାହାଯ୍ୟ ନେଇପାରିବେ ।

୨. ନିବେଶ କରନ୍ତୁ: ସାଧାରଣତଃ ଅଧିକାଂଶ ବ୍ୟକ୍ତି ୪୦ ବର୍ଷ ପରେ ସିରିୟସ୍ ହୋଇଯାନ୍ତି ଏବଂ ଅର୍ଥ ସଞ୍ଚୟ କରିବା ଆରମ୍ଭ କରିଦିଅନ୍ତି । ବିଶେଷ କରି ଭାରତରେ ପିଲାମାନଙ୍କ ପାଠପଢ଼ା ଏବଂ ବାହାଘରକୁ ପ୍ରାଥମିକତା ଦେଇଥାନ୍ତି । ଏହା ଠିକ୍ କିନ୍ତୁ ଅପରପକ୍ଷରେ ଅବସର ପାଇଁ କିଛି କିଛି ଅର୍ଥ ସଞ୍ଚୟ କରିବା ଉଚିତ । ତେଣୁ ଆପଣଙ୍କୁ ଯେତେ ଶୀଘ୍ର ଅର୍ଥ ରୋଜଗାର କରିବା ଆରମ୍ଭ କରିବେ ସେବେଠାରୁ ନିବେଶ ପ୍ଲାନିଂ କରନ୍ତୁ । କୌଣସି ନିବେଶ ପଦ୍ଧତି କମ୍ପାଉଣ୍ଡିଂ ଉପରେ ଆଧାରିତ ହୋଇଥାଏ । କମ୍ପାଉଣ୍ଡିଂର ଫଣ୍ଡା କୁହେ ଯେ ଆପଣ ଯେତେ ଶୀଘ୍ର ନିବେଶ କରିବେ ସେତେ ଅଧିକ ଫାଇଦା ହେବ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଭିନ୍ନ ଭିନ୍ନ ସ୍ଥାନରେ ନିବେଶ କରିବା ଉଚିତ ।
୩. ଦରମାର କେତେ ଅଂଶ ସଞ୍ଚୟ କରିବେ: ଏଥିପାଇଁ ପ୍ରଥମେ ଆୟର ଉତ୍ସଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ । ପରେ ମୋଟ୍ ଆୟର ସର୍ବନିମ୍ନ ୫% ରିଟାୟରମେଣ୍ଟ ଫଣ୍ଡ୍ ପାଇଁ ସଞ୍ଚୟ କରିବା ଉଚିତ ।

୪. ଖର୍ଚ୍ଚ କମ୍ କରନ୍ତୁ: ରିଟାୟମେଣ୍ଟ ସମୟ ପାଖେଇ ଆସିଲେ ଯେତେ ଦୂର ସମ୍ଭବ ଖର୍ଚ୍ଚ କମ୍ କରିବା ଉପରେ ଗୁରୁତ୍ୱ ଦେବା ଉଚିତ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହି ସେହି ଟଙ୍କାକୁ କୌଣସି ଭଲ କାମ ପାଇଁ ବିନିଯୋଗ କରିପାରିବେ ।

୫. ସରକାରୀ ଯୋଜନା: ଆପଣ ଇପିଏଫ୍, ପିପିଏଫ୍ ଏବଂ ଏନପିଏସ୍ ଭଳି ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନା ଟିକସ ସୁବିଧା ଏବଂ ସ୍ଥିର ରିଟର୍ଣ୍ଣ ପ୍ରଦାନ କରିଥାଏ ।

୬. ରିଅଲ ଇଷ୍ଟେଟରେ ନିବେଶ: ରିୟଲ ଇଷ୍ଟେଟରେ ନିବେଶ କରିବା ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ ପାଖରେ ଏକ ପ୍ରପର୍ଟି ରହିବ ଏବଂ ଭବିଷ୍ୟତରେ ଏହାକୁ ବିକ୍ରି କରିପାରିବେ । ଏଥିରେ ନିବେଶ କରିବା ଦ୍ୱାରା ପ୍ରପର୍ଟିର ମୂଲ୍ୟ ସମୟାନୁଯାୟୀ ବୃଦ୍ଧି ହୋଇଥାଏ ଏବଂ ଅର୍ଥ ମଧ୍ୟ ସଞ୍ଚୟ ହୋଇଥାଏ ।

Get real time updates directly on you device, subscribe now.