fbpx

ଲାଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀନଗର: ଲାଦାଖକୁ ରାଜ୍ୟର ମାନ୍ୟତା ଏବଂ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରାଯିବା ଦାବିରେ ଶନିବାର ହଜାର ହଜାର ସଂଖ୍ୟାରେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏନେଇ ଲାଦାଖ ବନ୍ଧ ରହିଥିଲା । ଲେହ ଏପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ ଆଲିୟାନ୍ସର ମିଳିତ ସହଯୋଗରେ ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଲେହରେ ପ୍ରବଳ ଥଣ୍ଡା ସତ୍ତ୍ୱେ ବହୁ ସଂଖ୍ୟକ ଲୋକମାନେ ବିରୋଧ ପ୍ରଦର୍ଶନରେ ସାମିଲ ଥିଲେ ।

ଲାଦାଖବାସୀଙ୍କ ଦାବି ଉପରେ ବିଚାର କରିବା ପାଇଁ କେନ୍ଦ୍ର ତରଫରୁ ରାଜ୍ୟ ମନ୍ତ୍ରୀ(ଗୃହ ବିଭାଗ) ନିତ୍ୟାନନ୍ଦ ରାୟଙ୍କ ନେତୃତ୍ୱରେ ଏକ ହାଇ ପାୱାର୍ଡ଼ କମିଟି ଗଠନ କରାଯାଇଥିଲା । ଏହା ସତ୍ତ୍ୱେ ଲାଦାଖରେ ରାଲି ଓ ବିରୋଧ ପ୍ରଦର୍ଶନ ହୋଇଥିଲା । ନିକଟରେ ଲେହ ଏପେକ୍ସ ବଡି ଏବଂ କାର୍ଗିଲ ଡେମୋକ୍ରାଟିକ ଆଲିୟାନ୍ସର ପ୍ରତିନିଧୀମାନେ ଦ୍ୱିତୀୟ ରାଉଣ୍ଡର କଥାବାର୍ତ୍ତା ହେବା ପାଇଁ ଘୋଷଣା କରିଥିଲେ । ସେମାନଙ୍କ ଦାବି ହେଉଛି ଲାଦାଖକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା, ସମ୍ବିଧାନର ଷଷ୍ଠ ସୂଚୀକୁ କାର୍ଯ୍ୟକାରୀ କରିବା ଏବଂ ଲେହ ଏବଂ କାର୍ଗିଲକୁ ସଂସଦରେ ପୃଥକ ଆସନ ଦିଆଯାଉ । ବିକ୍ଷୋଭକାରୀଙ୍କ କହିବାନୁଯାୟୀ ସେମାନେ କେନ୍ଦ୍ରଶାସିତ ପ୍ରଦେଶରେ ଅମଲାତନ୍ତ୍ରର ନିୟମ ଅନୁଯାୟୀ ଚଳିପାରିବେ ନାହିଁ । ସେମାନେ ପୂର୍ଣ୍ଣ ରାଜ୍ୟ ଚାହୁଁଛନ୍ତି ଯେଉଁଥିରେ ଜନସାଧାରଣ ପ୍ରତିନିଧିକୁ ଚୟନ କରିପାରିବେ । ଏହା ସହ ଅଂଚଳରେ ଅତି କମରେ ୨ଟି ଲୋକସଭା ଆସନ ସ୍ଥିର କରିବା ପାଇଁ ଦାବି କରିଛନ୍ତି ।

 

Get real time updates directly on you device, subscribe now.