fbpx

EPF ନିୟମରେ ବଡ଼ ପରିବର୍ତ୍ତନ: କର୍ମଚାରୀଙ୍କର ଏବେ ହେବ ୨ଟି PF ଆକାଉଣ୍ଟ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । କର୍ମଚାରୀ ଭବିଷ୍ୟ ନିଧି ବି EPFର ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଯଦି କୌଣସି ବ୍ୟକ୍ତିର EPFରେ ଯୋଗଦାନ ଏକ ଆର୍ଥିକ ବର୍ଷରେ ୨.୫ ଲକ୍ଷ ଟଙ୍କାରୁ ଅଧିକ ହେଉଛି, ତେବେ ତାଙ୍କୁ ଏହି ଆର୍ଥିକ ବର୍ଷ ୨୦୨୧-୨୨ରେ ଦୁଇଟି ଅଲଗା ଅଲଗା PF ଆକାଉଣ୍ଟ ରଖିବାକୁ ପଡ଼ିବ । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ବା ସିବିଡିଟି ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ।

ବିଜ୍ଞପ୍ତି ମୁତାବକ, PF ଆକାଉଣ୍ଟକୁ ୨ଟି ଅଲଗା ଅଲଗା ଆକାଉଣ୍ଟରେ ବଣ୍ଟାଯିବ । PF ଆକାଉଣ୍ଟରେ ଜମା ଟଙ୍କା ଉପରେ ମିଳିବାକୁ ଥିବା ସୁଧ ଉପରେ ଟ୍ୟାକ୍ସର ହିସାବ ପାଇଁ ଅଲଗା ପିଏଫ୍ ଆକାଉଣ୍ଟ ଖୋଲାଯିବ । ସିବିଡିଟି ବିଜ୍ଞପ୍ତି ମୁତାବକ, ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ କୌଣସି ଅବଦାନ ଉପରେ କିଛି ବି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷ ପରେ PF ଆକାଉଣ୍ଟରେ ମିଳିଥିବା ସୁଧ ଟ୍ୟାକ୍ସରେ ଅନ୍ତର୍ଭୁକ୍ତ ହେବ, ଯାହାର ଅଲଗା ହିସାବ କରାଯିବ ।

ଏହି ନିୟମ ୧ ଏପ୍ରିଲ ୨୦୨୨ ରୁ କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଯଦି ଆପଣଙ୍କର ପିଏଫ୍ ଆକାଉଣ୍ଟରେ ୨.୫ ଲକ୍ଷରୁ ଅଧିକ ଟଙ୍କା ଜମା ହୁଏ, ତେବେ ଆପଣଙ୍କୁ ସେହି ଅତିରିକ୍ତ ରାଶି ଉପରେ ମିଳିବାକୁ ଥିବା ସୁଧ ଉପରେ ଟ୍ୟାକ୍ସ ଦେବାକୁ ପଡିବ । ତେବେ ବାର୍ଷିକ ୨.୫ ଲକ୍ଷ ଟଙ୍କା ଏହି ଲିମିଟ୍ କେବଳ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ରହିଛି । ଏହା ସରକାରୀ କର୍ମଚାରୀଙ୍କ ପାଇଁ ନୁହେଁ । ଯଦି ଆପଣ ଜଣେ ସରକାରୀ କର୍ମଚାରୀ, ତେବେ ଇପିଏଫ ଓ ଭିପିଏଫରେ ଅବଦାନର ସୀମା ୨.୫ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା ରହିଛି । ଯଦି ସରକାରୀ କର୍ମଚାରୀଙ୍କ ଇପିଏଫ ଓ ଭିପିଏଫରେ ବାର୍ଷିକ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଜମା ହୁଏ, ତେବେ ସେମାନଙ୍କୁ ସେହି ଅତିରିକ୍ତ ଟଙ୍କା ଉପରେ ଟ୍ୟାକ୍ସ ଦେବାକୁ ପଡିବ ।

Get real time updates directly on you device, subscribe now.