fbpx

ଦାବିଦାର ବିହୀନ ବ୍ୟାଙ୍କ ଜମା ସମ୍ପର୍କରେ ଜନସାଧାରଣ ଅନୁସନ୍ଧାନ କରିପାରିବେ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଘୋଷଣା କଲେ ୱେବ ପୋର୍ଟାଲ

ନୂଆଦିଲ୍ଲୀ: ଦାବିଦାର ବିହୀନ ବ୍ୟାଙ୍କ ଜମା ସମ୍ପର୍କରେ ଜନସାଧାରଣଙ୍କୁ ଅନୁସନ୍ଧାନ କରିବାର ସୁଯୋଗ ଦେବାକୁ ନିଷ୍ପତି ନେଇଛନ୍ତି ପାଇଁ ରିଜର୍ଭ ବ୍ୟାଙ୍କ। ଗୁରୁବାର ଆରବିଆଇ ଗଭର୍ଣ୍ଣର ଏନେଇ ଏକ ୱେବ ପୋର୍ଟାଲ ଘୋଷଣା କରିଛନ୍ତି। ଏଥିରୁ ବିଭିନ୍ନ ବ୍ୟାଙ୍କର ଦାବିଦାର ନ ଥିବା ଜମା ସମ୍ପର୍କରେ ଲୋକେ ଅନୁସନ୍ଧାନ କରିପାରିବେ। ଏହାଫଳରେ ଦାବିଦାରମାନେ ପ୍ରକୃତ ତଥ୍ୟ ପାଇବାର ସୁଯୋଗ ପାଇବେ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାସ ଆହୁରି କହିଛନ୍ତି ଯେ ଯେଉଁ ପାଞ୍ଚଟି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି ତଦ୍ୱାରା ବ୍ୟାଙ୍କର ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ ହେବ ଏବଂ ଏହାର ସେବା ପରିସର ବଢି ଉପଭୋକ୍ତା ଲାଭବାନ୍ ହେବେ। ରେଗୁଲେଟାରୀ ଆପ୍ରୁଭାଲ ପାଇଁ କେନ୍ଦ୍ରୀକୃତ ୱେବ ପୋର୍ଟାଲ ବିକଶିତ ହେଲେ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଏହା ମାଧ୍ୟମରେ ‘ଇଜ ଅଫ ଡୁଇଂ ବିଜ୍‌ନେସ’ର ଲାଭ ପାଇବେ ଓ ସେମାନଙ୍କ ବ୍ୟାବସାୟିକ ସୁଗମତା ବଢିବ।

ତେବେ ଲଗାତାର ସୁଧହାର ବୃଦ୍ଧି ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି। ଆଜି ରିଜର୍ଭ ବ୍ୟାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହି କେନ୍ଦ୍ରୀୟ ବ୍ୟାଙ୍କର ଦ୍ୱିମାସିକ ବିତ୍ତୀୟନୀତି (ମନିଟାରୀ ପଲିସି) ସମ୍ପର୍କରେ ତଥ୍ୟ ପ୍ରଦାନ କରି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମନିଟାରୀ ପଲିସି କମିଟି (ଏମ୍‌ପିସି) ରେପୋ ରେଟ୍‌କୁ ୬.୫୦%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛିି। ରେପୋ ରେଟ୍‌ର ଅର୍ଥ ହେଲା ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ ଯେଉଁ ସୁଧ ହାରରେ ଋଣ ଦିଆଯାଏ।

ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ପ୍ରଚଳିତ ଜମା ସୁବିଧା ବା ଏସ୍‌ଡିଏଫ୍ ହାର ମଧ୍ୟ ୬.୨୫ ଶତାଂଶରେ ସ୍ଥିର ରହିଛି। ଏହା ଛଡା ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମ୍‌ଏସ୍‌ଏଫ)ହାର ଓ ବ୍ୟାଙ୍କ ରେଟ୍‌କୁ ୬. ୭୫%ରେ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି।ଏହି ଅବସରରେ ଗଭର୍ଣ୍ଣର ଦାସ କହିଥିଲେ ଯେ ଦେଶରେ ଏବେ ମୁଦ୍ରାସ୍ପୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ଉପରେ ରହିଛି ଏବଂ ଏହା ଏବେ ଯେଉଁସ୍ତରରେ ଅଛି ତାହାର ମୁକାବିଲା ପାଇଁ ବର୍ତ୍ତମାନର ସୁଧ ହାର(ପଲିସି ରେଟ୍‌) ଯଥେଷ୍ଟ ହୋଇପାରେ । ତେଣୁ ଏମ୍‌ପିସି ପଲିସ ରେଟ ଆଉ ନ ବଢାଇବାକୁ ଗୁରୁତ୍ୱ ଦେଇଛି ।

Get real time updates directly on you device, subscribe now.