fbpx

କରୋନା ଭାଇରସ, ଦୁଇ ଦିନ ଭିତରେ ପୁରୀ ଛାଡ଼ିବେ ପର୍ଯ୍ୟଟକ

ପୁରୀ, ୧୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ସାରା ବିଶ୍ୱ ଚିନ୍ତିତ ଅବସ୍ଥାରେ ରହିଛି । ପୁରୀ ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖାଦେଇଥାଏ । କିନ୍ତୁ କରୋନା ନେଇ ସେଠାରେ କିଛି କଟକଣା ଲାଗୁ ହୋଇଛି । ପୁରୀର ସମସ୍ତ ହୋଟେଲରେ ରହିଥିବା ପର୍ଯ୍ୟଟକମାନେ ଦୁଇ ଦିନ ଭିତରେ ହୋଟେଲ ଛାଡ଼ିବେ । ହୋଟେଲ ଆସୋସିଏସନ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି । କରୋନା ସତର୍କତା ପାଇଁ ଏହିପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ହୋଟେଲ ଆସୋସିଏସନ ଏହିପରି ନିଷ୍ପତ୍ତି ନେଇଛି । ଏହାସହ ଏପ୍ରିଲ ୧୫ଯାଏଁ ଆଉ ବୁକିଂ ନରଖିବାକୁ ଆସୋସିଏସନ ନିଷ୍ପତ୍ତି ନେଇଛି । ପୂର୍ବରୁ ହୋଟେଲ ବୁକ୍ କରିଥିବା ପର୍ଯ୍ୟଟକଙ୍କ ଟଙ୍କା ମଧ୍ୟ ଫେରାଯିବ । ପୁରୀ ହୋଟେଲ ଆସୋସିଏସନ ସମ୍ପାଦକ ଏନେଇ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କରୋନାରେ ସାରା ବିଶ୍ୱରେ ୭୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩ଜଣ ଭାରତୀୟ ଥିବା ବେଳେ ୨୨ଜଣ ବିଦେଶୀ ନାଗରିକ ରହିଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.