fbpx

ଶାଶୁ ଶ୍ୱଶୁରଙ୍କ ସହ ଝଗଡ଼ା ପଡ଼ିପାରେ ଭାରି, ସମୟ ଥାଉ ଥାଉ ସୁଧାରି ନିଅନ୍ତୁ ଏହି ଭୁଲ ନଚେତ୍ ଦୂରେଇ ଯିବେ ପାର୍ଟନର

ଓଡ଼ିଶା ଭାସ୍କର: ପରିବାରରେ ଛୋଟ ଛୋଟ ଝଗଡ଼ା ହୋଇଥାଏ । ଅଧିକାଂଶ ସମୟରେ ଶାଶୁ- ବୋହୂଙ୍କ ଝଗଡ଼ାକୁ ନେଇ ବେଶି ଆଲୋଚନା ହୋଇଥାଏ । ଆଉ ଏଇ ଝଗଡ଼ାରେ ଫସିଯାଏ ବିଚାରା ସ୍ୱାମୀ । ନୂଆ ବୋହୂଟିଏ ଘରକୁ ଆସିଲେ ଶ୍ୱଶୁର ଘର ଲୋକଙ୍କ ସହ ଆଡ୍‌ଜଷ୍ଟ ହେବା ପାଇଁ ସମୟ ଲାଗିଥାଏ । ଆଉ ଏହି ଆଡଜଷ୍ଟମେଣ୍ଟ ଭିତରେ ବେଳେ ବେଳେ କଥା କଟାକଟି, ମନମାଳିନ୍ୟ ଭଳି ସ୍ଥିତି ଉପୁଜିଥାଏ । ସମୟ ଥାଉ ଥାଉ ପରିବାର ସଦସ୍ୟ ନିଜ ଭିତରେ ବଝାମଣା କରିଦେଲେ ଭବିଷ୍ୟତରେ ବଡ଼ ସମସ୍ୟା ଠାରୁ ଦୂରେଇ ରହିପାରିବେ । ବେଳେ ବେଳେ ଶାଶୁ ବୋହୂ ଭିତରେ ଏପରି ଛୋଡ଼ ଛୋଟ ଝଗଡ଼ା ଦ୍ୱାରା ପାର୍ଟନର ଆପଣଙ୍କ ଠାରୁ ଦୂରେଇ ଯିବାର ଆଶଙ୍କା ଦେଖାଦେଇଥାଏ । ପାର୍ଟନରଙ୍କ ସହ ଆପଣଙ୍କ ସମ୍ପର୍କ ବିଗାଡ଼ିବାକୁ ନ ଚାହୁଁଥିଲେ ନିମ୍ନଲିଖିତ କଥା ଉପରେ ଗୁରୁତ୍ୱ ଦିଅନ୍ତୁ ।

୧. ଆପୋସ ବୁଝାମଣାରେ ଝଗଡ଼ା ଶେଷ କରନ୍ତୁ: ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ସମ୍ଭବ ନୁହେଁ । ଶାଶୁ- ଶ୍ୱଶୁରଙ୍କ ସହ ଯେତେ ଛୋଟ ବଡ଼ ଝଗଡ଼ା ହୋଇଥିଲେ ଏହାର ସାମ୍ନା କରିବା ଶିଖନ୍ତୁ । ଆପୋସ ବୁଝାମଣା ମାଧ୍ୟମରେ ସମାଧାନର ରାସ୍ତା ବାହାର କରନ୍ତୁ । ଝଗଡ଼ାର ମୂଳ କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଅଧିକାଂଶ ସମୟରେ ପରସ୍ପରକୁ ଦୋଷ ଲଦାଲଦି ଭିତରେ ଘରେ ଅଶାନ୍ତି ଦେଖାଦେଇଥାଏ ।

୨. ଛୋଟ ଛୋଟ କଥା ପାର୍ଟନରଙ୍କୁ କୁହନ୍ତୁ ନାହିଁ: ଅଧିକାଂଶ ବିବାହିତ ଝିଅଙ୍କ ଅଭ୍ୟାସ ଥାଏ ଶ୍ୱଶୁର ଘର ଲୋକଙ୍କ ସହ ହୋଇଥିବା ଛୋଟ ଛୋଟ ଝଗଡ଼ା ବିଷୟରେ ପାର୍ଟନରଙ୍କୁ କହିବା । ଏହା ଦ୍ୱାରା ପାର୍ଟନର ଚିଡ଼ଚିଡ଼ା ହୋଇଥାଏ । ତାଙ୍କୁ ଏପରି ଅନୁଭବ ହୁଏ ଯେ ସେ ଏପରି ଏକ ଝିଅକୁ ବିବାହ କରିଛନ୍ତି ଯିଏ ସବୁବେଳେ ତା’ ପରିବାର ବିଷୟରେ ଅଭିଯୋଗ କରୁଛି, ସେମାନଙ୍କ ଭୁଲକୁ ନୋଟିସ୍ କରୁଛି । ତେଣୁ ଯେପର୍ଯ୍ୟନ୍ତ କୌଣସି ବଡ଼ କଥା ନହୋଇଛି ପାର୍ଟନରଙ୍କୁ କୁହନ୍ତୁ ନାହିଁ ।

୩. ପ୍ରତ୍ୟେକ କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ: ଆଜିକାଲିର ବୋହୂମାନେ ଶାଶୁଙ୍କୁ ଜବାବ ଦେବାରେ ପାରଙ୍ଗମ । ଶାଶୁ ଶ୍ୱଶୁର ଘରର ମୁଖିଆ ତେଣୁ ସେମାନଙ୍କ କଥା ଧୈର୍ଯ୍ୟର ସହ ଶୁଣନ୍ତୁ । ସେମାନଙ୍କ କଥା ପଛରେ ଘରର ମଙ୍ଗଳ ହିଁ ଲୁଚି ରହିଥାଏ । ତେଣୁ ସେମାନେ କଠୋରତାର ସହ କିଛି କହିଦେଲେ ହଠାତ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ସେମାନଙ୍କ କଥା ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆବଶ୍ୟକ ହେଲେ କିଛି କଥାକୁ ଇଗନୋର କରିବା ଶିଖନ୍ତୁ ।

୪. ଶାନ୍ତ ରୁହନ୍ତୁ: ବେଳେ ବେଳେ ଝଗଡ଼ା ହେଲେ ଆମେ କ୍ରୋଧ ବଶତଃ ଏମିତି କିଛି କହିଥାଉ ଯାହା ପାଇଁ ଶେଷରେ ପଛତାଇବାକୁ ପଡ଼େ । ତେଣୁ ପରିସ୍ଥିତିକୁ ବୁଝି ବିଚାରି କାର୍ଯ୍ୟ କରନ୍ତୁ । ଶାଶୁ ଶ୍ୱଶୁରଙ୍କୁ କିଛି କଟୁ କଥା କହିବା ପୂର୍ବରୁ ଭାବନ୍ତୁ ପିଲାମାନେ ଆପଣଙ୍କ ଠାରୁ କ’ଣ ଶିଖିବେ । ବେଳେ ବେଳେ ପରିସ୍ଥିତି ସମ୍ଭାଳିବା ପାଇଁ ଶାନ୍ତ ରହିବା ଉଚିତ । ଆପଣ ଚାହିଁଲେ ମାହୋଲ ଥଣ୍ଡା ହେବା ପରେ ଶାଶୁ ଶ୍ୱଶୁରଙ୍କ ସହ କଥାବାର୍ତ୍ତା ହୋଇପାରିବେ ।

୫. ଶାଶୁ- ଶ୍ୱଶୁରଙ୍କୁ ସମ୍ମାନ ଦିଅନ୍ତୁ: ଶାଶୁ ଶ୍ୱଶୁରଙ୍କୁ ମାତା ପିତା ପରି ସମ୍ମାନ ଦିଅନ୍ତୁ । ସେମାନଙ୍କ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦେବା ସହ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଶାଶୁ ଶ୍ୱଶୁରଙ୍କ ସହ ସମ୍ପର୍କ ଭଲ ରହିଲେ ପାର୍ଟନର ମଧ୍ୟ ଖୁସି ରହିବେ । ପାର୍ଟନରଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ ହେବ ।

Get real time updates directly on you device, subscribe now.