fbpx

ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ କିଏ ହେବ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରେ ବିଜେପିର ମାନସ ମନ୍ଥନ ଜାରି

ନୂଆଦିଲ୍ଲୀ: ନିକଟରେ ସଂପନ୍ନ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ଚାରୋଟି ରାଜ୍ୟରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ଭାରତୀୟ ଜନତା ପାର୍ଟିରେ ଏ ପର୍ଯ୍ୟନ୍ତ ମଣିପୁର, ଉତ୍ତରାଖଣ୍ଡ ଏବଂ ଗୋଆରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ମାନସ ମନ୍ଥନ ଜାରି ରହିଛି। ରାଜଧାନୀ ଦିଲ୍ଲୀରେ ପାର୍ଟିର ବରିଷ୍ଠ ନେତାଙ୍କ ସହ ତିନି ରାଜ୍ୟର ନେତା ଆଲୋଚନା ଚଳାଇଛନ୍ତି।

ଉତ୍ତରାଖଣ୍ଡର ପୁଷ୍କର ଧାମି ତଥା ରାଜ୍ୟ ବିଜେପି ସଭାପତି ରବିବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି। ଧାମି କହିଛନ୍ତି, ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଜାରି ରହିଛି। ବିଜେପିର କେନ୍ଦ୍ରୀୟ ନେତୃତ୍ଵ ହିଁ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ନିଷ୍ପତ୍ତି ନେବେ। ଗୋଆର ପ୍ରମୋଦ ସାଓ୍ଵନ୍ତ ଏବଂ ମଣିପୁରର ଏନ ବିରେନ ସିଂହଙ୍କଠୁ ମଧ୍ୟ ଏହି ଧରଣର ପ୍ରତିକ୍ରିୟା ମିଳିଛି।

ଉତ୍ତରାଖଣ୍ଡରେ ଗତ ବର୍ଷ ଦୁଇ ଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯାଇଥିଲା। ଏହା ପୂର୍ବରୁ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପରେ ତୀରଥ ସିଂହ ରାଓ୍ଵତଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତେବେ ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଥିଲେ ପୁଷ୍କର ସିଂହ ଧାମି। ହେଲେ ଧାମିଙ୍କୁ ନିଜ ଆସନରୁ ପରାଜୟର ମୁହଁ ଦେଖିବାକୁ ପଡିଛି।

ଅପରପକ୍ଷେ ରବିବାର ବିଧାୟକ ଦଳର ବୈଠକ ପାଇଁ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କିରେନ ରିଜିୁ ମଣିପୁର ଯାତ୍ରା କରିଛନ୍ତି। ବିଜେପି ଗୋଆରେ ମୋଟ୍ ୪୦ ଆସନରୁ ୨୦, ମଣିପୁରରେ ୬୦ରୁ ୩୨ ଏବଂ ଉତ୍ତରାଖଣ୍ଡରେ ୭୦ରୁ ୪୭ ସିଟରେ ବିଜୟ ହାସଲ କରିଛି। ଉତ୍ତର ପ୍ରଦେଶରେ ଦଳ ୪୦୩ଟି ୨୫୦ରୁ ଅଧିକ ସିଟରେ ବିଜୟ ହାସଲ କରିଛି।

 

Get real time updates directly on you device, subscribe now.