ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ଦରଭଙ୍ଗାର ରାଧା ଝା

ନୂଆଦିଲ୍ଲୀ : ଭାଇ ଭଉଣୀର ଅତୁଟ ପ୍ରେମର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା । ସାରା ଦେଶରେ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବ । ଏବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଖାସ ପ୍ରକାରର ରାକ୍ଷୀ ବନ୍ଧା ଯିବ । ଏହି ରାକ୍ଷୀ ବଜାରରେ ବିକ୍ରି ହେଉଥିବା ରାକ୍ଷୀ ମାନଙ୍କ ଠାରୁ ଭିନ୍ନ । ସୂଚନା ଅନୁସାରେ ରକ୍ଷୀ ପୂର୍ଣ୍ଣିମା ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଦରଭଙ୍ଗା ଜିଲ୍ଲାର ରାଧା ଝା ରାକ୍ଷୀ ବାନ୍ଧିବେ । ଏଥିପାଇଁ ରାଧା ଦେବୀ ନିଜ ପରିବାର ସହିତ ଦିଲ୍ଲୀ ବାହାରି ସାରିଛନ୍ତି । ଅନ୍ୟ ପକ୍ଷରେ ଏହି ଖବର ଜାଣିବା ପରେ ମକରନ୍ଦା ଗାଁରେ ଖୁସିର ବାତାବରଣ ଖେଳିଯାଇଛି । ଏହି ଅବସରରେ ଗାଁ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଧା ଦେବୀ ଦରଭଙ୍ଗା ଜିଲ୍ଲାର ଖଦିଭଣ୍ଡାର ରାମବାଗରେ କାମ କରନ୍ତି । ସେ ଦରଭଙ୍ଗା ଜିଲ୍ଲା ମନୀଗାଚ୍ଛି ପ୍ରଖଣ୍ଡର ମକରନ୍ଦା ଗାଁ ନିବାସୀ ନରେଶ ଝାଙ୍କ ପତ୍ନୀ । ନରେଶ ମଧ୍ୟ ମକରନ୍ଦା ଗାଁର ଜଣେ ଖଦି କର୍ମୀ ଅଟନ୍ତି । ରାଧା କହିଛନ୍ତି ସେ ଗତ ୮ ବର୍ଷରୁ ଏହି କାମ କରୁଛନ୍ତି । ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ରାକ୍ଷୀକୁ ପ୍ରଧାନମନ୍ତ୍ରୀ ନିଜ ହାତରେ ବାନ୍ଧିବେ ବୋଲି ।

ତେବେ ଏଇ ରାକ୍ଷୀ ସାଧାରଣ ରାକ୍ଷୀ ନୁହେଁ, ଏହା ଇକୋ ଫେଣ୍ଡଲି ରକ୍ଷୀ ଯାହା କି ଘାସ ଦ୍ୱାରା ପ୍ରସ୍ତୁତ ହୋଇଛି । ଏଥିରେ ବାନ୍ଧିବାକୁ ଥିବା ଡୋରୀ ଖଦି ସୁତାରେ ପ୍ରସ୍ତୁତ ହୋଇଛି । ଏହି ରାକ୍ଷୀକୁ ମାଟିରେ ପକାଇଲେ ଏଥିରୁ ଗଛ ଉଠିବ ।

ଖଦି ଭଣ୍ଡାରର ପ୍ରବନ୍ଧକ ବିନୋଦ କୁମାର ମିଶ୍ରା କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମା ପାଇଁ ସାରା ଦେଶରେ ୫୧ ଜଣ ମହିଳା କର୍ମୀଙ୍କୁ ଚୟନ କରାଯାଇଥିଲା । ସେହିପରି ପାଟନାରୁ ନିର୍ଦ୍ଦେଶ ମିଳିଥିଲା ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରିବା ପାଇଁ । ଏହା ପରେ ରାକ୍ଷୀ ପ୍ରସ୍ତୁତ କରିବା ପାଇଁ ରାଧାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତ କରିବା ଖବର ଶୁଣିବା ପରେ ରାଧା ବହୁତ ଖୁସି ହୋଇଯାଇଥିଲେ ।