fbpx

ରାହିଙ୍କୁ ଶୁଟିଂ ବିଶ୍ୱକପ ସ୍ୱର୍ଣ୍ଣ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ଭାରତୀୟ ଶୁଟିଂ ଷ୍ଟାର ରାହି ସର୍ଣ୍ଣୋବତ ଚଳିତ ଶୁଟିଂ ବିଶ୍ୱକପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି । ଅଲିମ୍ପିକ୍ସ ପୂର୍ବରୁ ଏହା ଶେଷ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ ଏହି ସ୍ୱର୍ଣ୍ଣ ପଦକ ରାହିଙ୍କ ମନୋବଳ ଦୃଢ କରିବ । ଟୋକିଓ ଟିକଟ ହାସଲ କରି ସାରିଥିବା ୩୦ ବର୍ଷୀୟ ରାହି ଚଳିତ ବିଶ୍ୱକପରେ ନିଜର ପ୍ରଥମ ସ୍ୱର୍ଣ୍ଣ ସହିତ ଦ୍ୱିତୀୟ ପଦକ ହାସଲରେ ସକ୍ଷମ ହୋଇଛନ୍ତି । ତେବେ ଅନ୍ୟତମ ଭାରତୀୟ ମାନୁ ଭାକେର୍ ୭ମ ସ୍ଥାନରେ ରହି ଟୁର୍ଣ୍ଣାମେଣ୍ଟ ଶେଷ କରିଛନ୍ତି । ଫାଇନାଲ ରାଉଣ୍ଡରେ ୩୯ ପଏଣ୍ଟ ସ୍କୋର କରିଥିବା ରାହି ଯୋଗ୍ୟତାପର୍ଯ୍ୟାୟରେ ୫୯୧ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ଅନ୍ତିମ ୬ ସିରିଜରେ ରାହି ୪ଟି ପର୍ଫେକ୍ଟ ସ୍କୋର ହାସଲ କରିଥିଲେ ।

ଫାଇନାଲରେ ୩୧ ପଏଣ୍ଟ ସ୍କୋର କରିଥିବା ଫ୍ରାନ୍ସର ମାଥିଲ୍ଡେ ଲାମୋଲେ ରୌପ୍ୟ ପଦକ ହାସଲ କରିଥିଲେ । ରବିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ୨୯୬ ପଏଣ୍ଟ ସହିତ ୫୮୮ ପଏଣ୍ଟ ସ୍କୋର କରିଥିବା ମାନୁ ଭାକେର ଫାଇନାଲରେ ନିରାଶ କରିଥିଲେ । ମାତ୍ର ୧୧ ପଏଣ୍ଟ ସ୍କୋର କରି ଭିକ୍ଟୋରିଆ ଚାଇକାଙ୍କ ନିକଟରୁ ପରାଜିତ ହୋଇ ୭ମ ସ୍ଥାନରେ ରହିଥିଲେ ଭାକେର୍ । ଏହାକୁ ମିଶାଇ ଭାରତ ଚଳିତ ବିଶ୍ୱକପରେ ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ସହିତ ଦୁଇଟି ବ୍ରୋଞ୍ଜ ପଦକ ହାସଲ କରିଛି ।

Get real time updates directly on you device, subscribe now.