fbpx

ଭାରତର ବିଜୟ ପରେ ରାହୁଲ ଦ୍ରାବିଡ ଦେଲେ ଦମଦାର ସ୍ପିଚ୍, ବିସିସିଆଇ ସେୟାର କଲା ଭିଡିଓ

ନୂଆଦିଲ୍ଲୀ : ଭାରତ ମଙ୍ଗଳବାର ଦ୍ଵିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ରୋମାଞ୍ଚକର ମୁକାବିଲାରେ ତିନି ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ସିରିଜ୍ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ଦୀପକ ଚହର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଭାରତକୁ ଚମତ୍କାର ବିଜୟ ଦେଇଛନ୍ତି। ଭାରତର ଏହି ସ୍ମରଣୀୟ ବିଜୟ ପରେ ରାହୁଲ ଦ୍ରାବିଡ ଡ୍ରେସିଂ ରୁମରେ ଭାଷଣ ଦେଇଛନ୍ତି। ବିସିସିଆଇ ରାହୁଲ ଦ୍ରାବିଡଙ୍କ ଭାଷଣର ଭିଡିଓ ଟ୍ଵିଟରରେ ସେୟାର କରିଛି। ରାହୁଲ ଶ୍ରୀଲଙ୍କା ଗସ୍ତରେ ଭାରତର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି। ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି ଏବଂ ସେମାନେ ଦ୍ରାବିଡଙ୍କ ପରି ମହାନ ବ୍ୟକ୍ତିତ୍ଵଙ୍କଠୁ ବହୁତ କିଛି ଶିଖୁଛନ୍ତି।

ବିସିସିଆଇ ସେୟାର କରିଥିବା ଭିଡିଓରେ ରାହୁଲ କହିଛନ୍ତି ଯେ, ଆମେ ସ୍ପଷ୍ଟ ଭାବେ ସଠିକ୍ ଦିଗରେ ଫଳାଫଳ ପାଇଲୁ। ଏହା ସ୍ମରଣୀୟ ମୁହୂର୍ତ୍ତ ଥିଲା। ଏହି ଲଢେଇ ବହୁତ ମହତ୍ଵପୂର୍ଣ୍ଣ ଥିଲା। ଆପଣ ସମସ୍ତେ ଦମଦାର ପ୍ରଦର୍ଶନ କରିଛନ୍ତି। ଏହା ବ୍ୟକ୍ତିଗତ ପ୍ରଦର୍ଶନ ବିଷୟରେ କଥା  ହେବାର ସମୟ ନାହିଁ। ଆମେ ଏହି ବିଷୟରେ ନିଜର  ବୈଠକରେ ଆଲୋଚନା କରିବା।  ସେହି ସମୟରେ ଆମେ ପ୍ରତିଟି ଜିନିଷର ବିଶ୍ଳେଷଣ କରିବା। ଯଦି ଆପଣ ପୂରା ମ୍ୟାଚ୍ ଦେଖିବେ ତେବେ ଦଳର ପ୍ରଦର୍ଶନ ବହୁତ ଭଲ ଥିଲା। ଆମର ବୋଲର ବହୁତ ଦମଦାର ପ୍ରଦର୍ଶନ କଲେ। ପ୍ରାରମ୍ଭରେ ମଧ୍ୟ ବ୍ୟାଟସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ ଏବଂ ଏହାର ସମାପ୍ତ ମଧ୍ୟ ଭଲ କରିଛନ୍ତି। ଏହା ଏକ ଦଳଗତ ଦମଦାର ପ୍ରଦର୍ଶନ ଥିଲା ବୋଲି ଦ୍ରାବିଡ ଖେଳାଳିଙ୍କୁ କହିଛନ୍ତି।

ରାହୁଲ ଦ୍ରାବିଡ କହିଛନ୍ତି, ତାଙ୍କୁ ଏହା ଜଣାଥିଲା ଯେ, ପ୍ରଥମ ଦିନିକିଆ  ହାରିବା ପରେ ଶ୍ରୀଲଙ୍କା ପୂରା ଶକ୍ତି ସହ ପ୍ରତ୍ୟାବର୍ତ୍ତନ କରିବ। ମାତ୍ର ସେ ଗର୍ବିତ ଯେ, ଭାରତ ଘରୋଇ ଦଳକୁ ଏକ ଚାମ୍ପିଅନ ଦଳ ପରି ଜବାବ ଦେଲା। ଏହା ପରେ ବି ଆମକୁ ବିପକ୍ଷ ଦଳକୁ ସମ୍ମାନ ଦେବା ଉଚିତ୍। ସେମାନେ ଆମକୁ ଜବାବ ଦେଲେ ଏବଂ ଆମେ ମଧ୍ୟ ଚାମ୍ପିଅନ ଦଳ ପରି ପାଲଟା ଜବାବ ଦେଲେ। ଆପଣ ସମସ୍ତଙ୍କ ଉପରେ ଆମେ ଗର୍ବିତ ବୋଲି ରାହୁଲ ଦ୍ରାବିଡ କହିଛନ୍ତି।

 

ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ୨୭୬ ରନର ବିଜୟ ଲକ୍ଷ୍ୟ ପିଛା କରି ଭାରତ ଏକଦା ୧୯୩ ରନରେ ୭ ଓ୍ଵିକେଟ୍ ହରାଇ ସାରିଥିଲା। ହେଲେ ଦୀପକ ଚହର ଓ ଭୁବନେଶ୍ଵର କୁମାର ଅସମାପ୍ତ ଅଷ୍ଟମ ଓ୍ଵିକେଟରେ ୮୪ ରନ ଯୋଡି ଦଳକୁ ସ୍ମରଣୀୟ ବିଜୟ ଦେଇଥିଲେ। ଦୀପକ ଚହର ଅପରାଜିତ ୬୯ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

Get real time updates directly on you device, subscribe now.