ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ
ଭୁବନେଶ୍ୱର : ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି । ତାଙ୍କର ବିୟୋଗ କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି । ତେବେ ଶୁକ୍ରବାର ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇଛନ୍ତି । ଦିଂବଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ର କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ସେ ବଲାଙ୍ଗୀରରୁ ଲୋକସଭାର ସାଂସଦ ଥିଲେ । ୧୯୮୩ରେ ସେ ପିସିସି ସଭାପତି ଭାବେ ବି ଦାୟିତ୍ୱ ତୁଲାଇଥିଲେ । ସେ ୧୯୫୪ରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲା । ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦକ୍ଷତା ପ୍ରଦର୍ଶନ କରିବା ପରେ ୧୯୫୬ରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରହିଥିଲେ ।୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ସେ ପିସିସି ସାଧାରଣ ସମ୍ପାଦକ ଥିଲେ ।
ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଓଡିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇଥିଲେ । ପରେ ରାହୁଲ ମଧ୍ୟ ବିଭୂଙ୍କ ସହ କଥା ହୋଇଥିଲେ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମିଶ୍ର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ । କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି ।