‘ସତ କହିବାର ମୂଲ୍ୟ ଦେବାକୁ ପଡ଼ିଲା’: ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ, ଗାନ୍ଧି ପରିବାରର ସତରେ କ’ଣ ନିଜର ଘର ନାହିଁ, ତେବେ କାହିଁକି?

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ ସରକାରୀ ବଙ୍ଗଳା ଛାଡ଼ିଛନ୍ତି । ସେ ବଙ୍ଗଳାର ଚାବି ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି । ଘର ଛାଡ଼ିବା ପରେ ରାହୁଲଙ୍କ ମୁହଁରୁ ଗୋଟିଏ ପଦ କଥା ବାହାରିଥିଲା, ‘ସତ କହିବାର ମୂଲ୍ୟ ଦେବାକୁ ପଡ଼ିଲା’ । ଏହି କଥାକୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ସମର୍ଥନ କରିବା ସହ ସେ ଭାଇ ସହିତ ରହିଛନ୍ତି ବୋଲି କହିଥିଲେ ।

ଗତ ମାସ ୨୩ ତାରିଖରେ ସେ ସୂରତ ସେଶନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ସହିତ ଦୁଇ ବର୍ଷର ଜେଲଦଣ୍ଡାଦେଶ ପାଇଥିଲେ । ଏହାପରେ ୨୪ ତାରିଖରେ ସେ ଲୋକସଭା ସଦସ୍ୟ ପଦ ହରାଇଥିଲେ । ତେବେ ରାହୁଲଙ୍କ ଉପରେ ଲାଗୁ ହୋଇଥିବା ୨ ବର୍ଷର ଜେଲଦଣ୍ଡାଦେଶ ଉପରେ ରୋକ ଲାଗୁ ନେଇ ଆଗତ ଯାଚିକାର ଶୁଣାଣି ଗତ ୨୦ ତାରିଖରେ ହୋଇଥିଲା । ମାତ୍ର ସେଥିରେ ରାହୁଲଙ୍କୁ ଝଟକା ଲାଗିଥିବାରୁ ସେ ହାଇକୋର୍ଟରେ ଆବେଦନ କରିପାରନ୍ତି ବୋଲି କୁହାଯାଉଛି ।

ଗତ ୨୦୦୫ରେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର ଆମେଥିରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ରାହୁଲ ଏହି ବଙ୍ଗଳାରେ ରହିଥିଲେ । ଗତ ମାର୍ଚ୍ଚ ୨୩ରେ ସେ ସାଂସଦ ପଦ ହରାଇବା ପରେ ବଙ୍ଗଳା ଛାଡ଼ିବାକୁ ରାହୁଲଙ୍କୁ ୩୦ ଦିନର ସମୟ ଦିଆଯାଇଥିଲା । ମାନହାନୀ ମକଦ୍ଦମା କାରଣରୁ ସଭ୍ୟ ପଦ ହରାଇବା ପରେ ରାହୁଲଙ୍କୁ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରାହୁଲ ଏବେ ୧୦ ଜନପଥରେ ଥିବା ତାଙ୍କ ମାଆ ସୋନିଆ ଗାନ୍ଧିଙ୍କ ବଙ୍ଗଳାରେ ରହିବେ ।

ତେବେ ଏଠାରେ ପ୍ରଶ୍ନ ଉଠେ ରାହୁଲ ଓ ସୋନିଆଙ୍କର ନିଜର ଘରଟିଏ ନାହିଁ କାହିଁକି? ଦେଶକୁ ଦଶନ୍ଧି ଦଶନ୍ଧି ଧରି ଶାସନ କରିଥିବା ଗାନ୍ଧି ପରିବାରର କ’ଣ ସତରେ ନିଜର ଘର ନାହିଁ, ଏହାକୁ ବୋଧହୁଏ କେହି ବିଶ୍ୱାସ କରିବେନି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପିତା ମୋତିଲାଲ ନେହରୁଙ୍କର ଆହ୍ଲାବାଦରେ ୨ଟି ଘର ଥିଲା । ମାତ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ ତାଙ୍କ ଘର କଂଗ୍ରେସ କାର୍ଯ୍ୟାଳୟ ପାଲଟି ଯାଇଥିଲା । ଏହାପରେ ଇନ୍ଦିରା ଗାନ୍ଧି ରାଜନୀତିକୁ ଆସିବା ପରେ ସେ ନିଜ ପାଇଁ ଘର କିଣିନଥିଲେ । ୧୯୬୯ରେ ସେ ତାଙ୍କର ଜେଜେଙ୍କ ଆନନ୍ଦ ଭବନକୁ ରାଷ୍ଟ୍ର ପାଇଁ ସମର୍ପିତ କରିଦେଇଥିଲେ । ଇନ୍ଦିରାଙ୍କ ମୃତ୍ୟୁ ପରେ ତାଙ୍କ ସରକାରୀ ଘର ସ୍ମାରକୀରେ ପରିବର୍ତ୍ତନ ହୋଇଯାଇଥିଲା ।

ଏହାପରେ ରାଜୀବ ଗାନ୍ଧି, ସୋନିଆ ଓ ରାହୁଲ ନିଜ ପାଇଁ ଘର କିଣିବା କଥା କେବେ ବି ଚିନ୍ତା କରିନଥିଲେ । ତେବେ ଏଠାରେ କହିବା କଥା, ବୟସ କାରଣରୁ ହେଉ ଅବା ଅନ୍ୟ କାରଣରୁ ହେଉ ଗାନ୍ଧି ପରିବାରର ସଦସ୍ୟମାନେ ଯଦି ସକ୍ରିୟ ରାଜନୀତିରୁ ଦୂରେଇ ଯାଆନ୍ତି, ଯଦି ତାଙ୍କୁ ସରକାରୀ କ୍ୱାର୍ଟର ନମିଳେ, ତେବେ ସେ କ୍ଷେତ୍ରରେ ସେମାନଙ୍କର ପାଇଁ ନିଜ ଘରର ଆବଶ୍ୟକତା ପଡ଼ିପାରେ ।