fbpx

ପ୍ରବଳ ଥଣ୍ଡାରେ ଝଡ଼ ସୃଷ୍ଟି କଲା ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ, କ’ଣ ରହିଛି ଟି-ସାର୍ଟ ପିନ୍ଧି ବୁଲିବାର ଉଦ୍ଦେଶ୍ୟ ?

ନୂଅଦିଲ୍ଲୀ: ରାଜନୀତିରେ ସବୁବେଳେ ରାଜନେତା ମାନଙ୍କର ପୋଷାକ ଚର୍ଚ୍ଚାରେ ରହିଥାଏ । ଯେପରିକି ୨୦୧୯ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଯେତେବେଳେ ସେ କେଦାରନାଥ ତୀର୍ଥଯାତ୍ରା କରିବାକୁ ଯାଇଥିଲେ, ସେତେବେଳେ ସେ ଏକ ଗୁମ୍ଫାରେ ଗେରୁଆ ପୋଷାକ ପିନ୍ଧି ଧ୍ୟାନ କରିଥିଲେ । ଯାହା ଲୋକସଭା ନିର୍ବାଚନ ସମୟରେ ବିଜେପିର ଅଭିଯାନରେ ଏକ ଅସ୍ତ୍ର ହୋଇଗଲା । ତେବେ ବର୍ତ୍ତମାନ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଚାଲିଥିବା ବେଳେ ଯାତ୍ରା ଆରମ୍ଭରୁ ରାହୁଲ ଗାନ୍ଧୀ ପିନ୍ଧୁଥିବା ଟି-ସାର୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ପ୍ରଥମେ ଏହା ୪୦ ହଜାର ଟଙ୍କା କହି ବିଜେପିର କିଛି ନେତା ତାଙ୍କୁ ସମାଲୋଚନା କରିଥିବା ବେଳେ ଏବେ ଦିଲ୍ଲୀର ଭିଷଣ ଥଣ୍ଡାରେ ରାହୁଲ ଗାନ୍ଧୀ କେବଳ ଏହି ଟି-ସାର୍ଟ ପିନ୍ଧି କିପରି ଏହାର ସାମ୍ନା କରୁଛନ୍ତି ବୋଲି ଅନେକ ପ୍ରଶ୍ନ କରିବା ସହ କଟାକ୍ଷ ମଧ୍ୟ କରିଛନ୍ତି । ତେବେ ଦିଲ୍ଲୀରେ ରହିବା ସମୟରେ ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ଏବଂ ୨୬ ଡିସେମ୍ବର ସକାଳେ, ଭିଷଣ ଶିତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ ।

ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଟୋ ଗୁଡ଼ିକ ଭାଇରାଲ ହେବାର କାରଣ ଭାରତ ଯୋଡୋ ଯାତ୍ରା କିମ୍ବା ରାହୁଲ ଗାନ୍ଧୀଙ୍କ କାରଣରୁ ନୁହେଁ ବରଂ ତାଙ୍କ ଧଳା ଟି-ସାର୍ଟ ହେତୁ ହୋଇଛି ।

ପ୍ରକୃତରେ, ସୋମବାର ସକାଳେ ଯେତେବେଳେ ରାହୁଲ ଗାନ୍ଧୀ ଦିବଗନ୍ତ ନେତାଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେତେବେଳେ ଦିଲ୍ଲୀର ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । ଏଭଳି ଯେଉଁଠାରେ ଲୋକମାନେ ଗୋଟିଏ ପଟେ କମ୍ପୁଥିଲେ, ଶୀତଳ ପବନ ହୃଦୟକୁ ବିଦ୍ଧ କରୁଥିଲାବେଳେ ଅନ୍ୟ ପଟେ ରାହୁଲ ଗାନ୍ଧୀ କେବଳ ଧଳା ଟି-ସାର୍ଟରେ ବୁଲୁଥିଲେ ।

ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି । ଲୋକମାନେ ପ୍ରଶ୍ନ କରିଛନ୍ତି ଯେ ଏହାର କାରଣ କ’ଣ ହୋଇପାରେ ଯେ ଏହି ଶୀତରେ ମଧ୍ୟ ରାହୁଲଙ୍କୁ ସ୍ୱିଟର କିମ୍ବା ଗରମ ପୋଷାକ ବିନା ବୁଲୁଛନ୍ତି । ଏହା ବ୍ୟତୀତ, ଏହି ସମଗ୍ର ଯାତ୍ରା ସମୟରେ ତାଙ୍କର ଏକମାତ୍ର ଧଳା ଟି-ସାର୍ଟ ପଛରେ ବାର୍ତ୍ତା କ’ଣ?

ତେବେ ଏହି ବିଷୟରେ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ନିରନ୍ତର ପଚରାଯାଉଥିବା ଏହି ପ୍ରଶ୍ନର ଉତ୍ତର ନିଜେ ରାହୁଲ କହିଛନ୍ତି, ‘ସେମାନେ ମୋତେ ପଚାରୁଛନ୍ତି ଯେ ମୁଁ କାହିଁକି ଥଣ୍ଡା ଅନୁଭବ କରୁନାହିଁ … କିନ୍ତୁ ସେମାନେ କୃଷକ, ଶ୍ରମିକ, ଛୋଟ ଗରିବ ପିଲାମାନଙ୍କୁ ସମାନ ପ୍ରଶ୍ନ କାହିଁକି ପଚାରୁ ନାହାନ୍ତି।’

Get real time updates directly on you device, subscribe now.