fbpx
BSKY
BJD MC SKY
BJD YOUTH SKY

ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା? ଆଜି ବି ଏପରି ଅନେକ ପ୍ରଶ୍ନ ରହିଛି ରହସ୍ୟ ଘେରରେ, ଜାଣନ୍ତୁ ସେସବୁର ବିସ୍ତୃତ ବିବରଣୀ

ନୂଆଦିଲ୍ଲୀ: ଗତ ୨୦୨୦ ମସିହା ଜୁନ୍ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମୁମ୍ବାଇର ବାନ୍ଦା ସ୍ଥିତ ତାଙ୍କ ବାସଭବନରୁ ମିଳିଥିଲା । ସୁଶାନ୍ତ ମାନସିକ ଚାପ କାରଣରୁ ଆତ୍ମହତ୍ୟା କରିଥିବା ପ୍ରଥମେ କୁହାଯାଉଥିଲେ ହେଁ ପରେ ଏହି କାହାଣୀ ଭିନ୍ନ ମୋଡ଼ ଦେଇଥିଲା । ଏହି ଘଟଣାଟି ସେ ସମୟରେ ସାରା ଭାରତବର୍ଷରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ପ୍ରଥମେ ଏହି ମାମଲାର ଯାଞ୍ଚ ମୁମ୍ବାଇ ପୋଲିସ କରିଥିବା ବେଳେ ପରେ ସୁଶାନ୍ତଙ୍କ ପରିବାରବର୍ଗଙ୍କ ଦାବି ପରେ ସିବିଆଇ ତଦନ୍ତ ଦାୟିତ୍ୱ ନେଇଥିଲା ।

ଏହା ମଧ୍ୟରେ ପାଖାପାଖି ଅଢ଼େଇ ବର୍ଷ ବିତିଯାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ । ବିଭିନ୍ନ ଗଣମାଧ୍ୟମରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଦର୍ଶାଯାଇଥିଲା । ଏପରିକି ଏହି ଘଟଣାରେ ସୁଶାନ୍ତଙ୍କ ଲିଭ୍ ଇନ୍ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ମଧ୍ୟ କୁହାଯାଇଥିଲା । ସୁଶାନ୍ତଙ୍କୁ ଜାଣିଶୁଣି ଡ୍ରଗ୍ସ ଦେଇଥିବା ଅଭିଯୋଗରେ ରିୟାକୁ ଜେଲଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲ ।

ତେବେ ନିକଟରେ ସୁଶାନ୍ତଙ୍କ ପୋଷ୍ଟ ମର୍ଟମ କରିଥିବା ଜଣେ ବ୍ୟକ୍ତି ଏକ ବଡ଼ ବୟାନ ଦେଇଛନ୍ତି । ସୁଶାନ୍ତ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ଏକ ହତ୍ୟା । ସୁଶାନ୍ତଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ସେ କହିଛନ୍ତି । ପୂର୍ବରୁ ସୁଶାନ୍ତଙ୍କ ସହ ସମ୍ପର୍କରେ ଥିବା ଅନେକ ଅଭିନେତା, ବ୍ୟକ୍ତିବିଶେଷଙ୍କ ଅଚାନକ ମୃତ୍ୟୁ ଘଟିଥିଲା । ତେଣୁ ତାଙ୍କର ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି ଉକ୍ତ ପୋଷ୍ଟ ମର୍ଟମକାରୀ ବ୍ୟକ୍ତି ଜଣଙ୍କ ।

ତେବେ ଯଦିଓ ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତେବେ ଏହା ପଛର ଅନେକ ରହସ୍ୟ ଆଜି ବି ଅସମାହିତ ହୋଇ ରହିଛି । ମହାରାଷ୍ଟ୍ରର ବିଜେପି ସାଂସଦ ନାରାୟଣ ରାଣେ ସେ ସମୟରେ ଖୋଲାଖୋଲି ଭାବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ନାମ ନେଇଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପଛରେ ଆଦିତ୍ୟଙ୍କ ହାତ ଥିବା ଜାତୀୟ ଗଣମାଧ୍ୟମରେ ନାରାୟଣ ଓ ତାଙ୍କ ପୁତ୍ର ବିଧାୟକ ନିତେଶ ଖୋଲାଖୋଲି ବୟାନ ଦେଇଥିଲେ ।

ସୁଶାନ୍ତ ମୃତ୍ୟୁର ତଦନ୍ତ କରିବାକୁ ପ୍ରଥମେ ଯେତେବେଳେ ବିହାର ପୋଲିସ ମୁମ୍ବାଇରେ ପହଞ୍ଚିଥିଲା ସେତେବେଳେ ସେମାନଙ୍କୁ ଏକପ୍ରକାର ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଥିଲା । ସୁଶାନ୍ତ ରହୁଥିବା ଘରର ସମସ୍ତ ସିସିଟିଭି ଗାଏବ୍ ହୋଇଯାଇଥିଲା । ଘରର ସିକ୍ୟୁରିଟି ଗାର୍ଡଙ୍କ ସମ୍ପର୍କରେ କାହା ପାଖରେ କିଛି ଖବର ନାହିଁ । ସୁଶାନ୍ତଙ୍କ ମୃତ୍ୟୁ ସମୟରେ ରିୟାଙ୍କୁ ଆଦିତ୍ୟ ୪୪ ଥର କ’ଣ ପାଇଁ କଲ କରିଥିଲେ ବୋଲି ବର୍ତ୍ତମାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବା ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏକ ବିଶେଷ ସୂତ୍ର ମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଏକ ନାଇଟ୍ ପାର୍ଟିର ଆୟୋଜନ କରାଯାଇଥିଲା । ଉକ୍ତ ପାର୍ଟିରେ ଆଦିତ୍ୟ ଯୋଗ ଦେଇଥିଲେ । ସେଠାରେ ସୂରଜ ପାଞ୍ଚୋଲିଙ୍କ ସହିତ ସୁଶାନ୍ତଙ୍କ ପାଟିତୁଣ୍ଡ ହୋଇଥିଲା । ଏହାକୁ ନେଇ ସଲମାନ ଖାନ ସୁଶାନ୍ତଙ୍କୁ ଗାଳି କରିଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଦିଶା ସାଲିଆନଙ୍କ ସମ୍ପର୍କ କ’ଣ ଥିଲା? ସୁଶାନ୍ତଙ୍କ ବ୍ୟକ୍ତିଗତ ଡାଏରୀକୁ କିଛି ପୃଷ୍ଠାକୁ କିଏ ଗାଏବ୍ କରିଥିଲା? ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର ବଡ଼ ବଡ଼ କଳାକାର କ’ଣ ପାଇଁ ପାଟି ଖୋଲିଲେ ନାହିଁ । ବଲିଉଡରେ ନେପୋଟିଜିମ୍ ଚାଲିଛି ଏହା କ’ଣ ସତ୍ୟ?

୨୦୨୦ ଅଗଷ୍ଟ ମାସରେ ସିବିଆଇ ଏହି ମାମଲା ନିଜ ହାତକୁ ନେଇଥିବା ବେଳେ ରିୟା, ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ, ହାଉସ୍ ଷ୍ଟାଫ ନୀରଜ ସିଂହ ଓ ଦୀପେଶ ସାୱନ୍ତଙ୍କୁ ଜେରା କରିଥିଲା । ଏଥିସହିତ ସିବିଆଇ ଟିମ୍ ସୁଶାନ୍ତ ରହୁଥିବା ଘରକୁ ଯାଇ ପରିଦର୍ଶନ କରିଥିଲା । ସୁଶାନ୍ତଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା, ଅଭିନେତା ଆତ୍ମହତ୍ୟା କରିଥିବା ପୋଷ୍ଟ ମର୍ଟମ ଓ ଭିସେରା ରିପୋର୍ଟକୁ ତର୍ଜମା କରିବା ପରେ ଏମ୍ସ ଫୋରେନସିକ ଟିମ୍ ରିପୋର୍ଟ ଦେଇଥିଲା ।

ମାମଲା ଚାଲିଥିବା ସମୟରେ ଜଣେ ସାଧାରଣ ଅଭିନେତ୍ରୀ ରିୟା ଦେଶର ଜଣେ ନାମୀଦାମୀ ଆଇନଜୀବୀଙ୍କୁ ବହୁ ମୂଲ୍ୟରେ କିପରି ହାୟର କରିପାରିଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ସୁଶାନ୍ତଙ୍କ ମୃତ୍ୟୁର କେଇ ମିନିଟ ମଧ୍ୟରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଗୁଜବ ସୃଷ୍ଟି ହେବା ପଛର ରହସ୍ୟ କ’ଣ? ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ଘରକୁ ସିଲ କରିଦିଆଯାଇଥିଲା । ମାତ୍ର ସୋସିଆଲ ମିଡ଼ିଆରେ ତାଙ୍କର କ୍ଷତ ଥିବା ଅନେକ ଫଟୋ କିପରି ଭାଇରାଲ ହୋଇଥିଲା ତାହା ମଧ୍ୟ ପ୍ରଶ୍ନ ଘେରରେ । ଏକ ସାଧାରଣ ପରିବାର ଯୁବକ, ଟିଭି ଜଗତରୁ ବଲିଉଡକୁ ଏଣ୍ଟ୍ରି ମାରିବା ଅନ୍ୟମାନଙ୍କ ପାଇଁ ଈର୍ଷାର କାରଣ ପାଲଟିଥିଲା, ଏହି ଅଭିଯୋଗ କେତେଦୂର ଠିକ୍? ସୁଶାନ୍ତଙ୍କଙ୍କୁ ବଲିଉଡ ସହ ଜଡ଼ିତ ଅନେକ ବଡ଼ ବଡ଼ ପ୍ରଡକ୍ସନ ହାଉସ୍ ବ୍ୟାନ କରିଥିବା କେତେଦୂର ସତ? ଯଦି ସତ୍ୟ ଏହା କେତେଦୂର ଯୁକ୍ତିଯୁକ୍ତି । ଗୋଟିଏ ପଟେ ସୁଶାନ୍ତ ଲକ୍ଷ ଲକ୍ଷ ଘରଭଡ଼ା ଦେବା ସହ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ବାଲାନ୍ସ ରହିଥିଲା । ଏପରିକି ତାଙ୍କର ମୃତ୍ୟୁ ପୂର୍ବରୁ ସେ ଏକ ନୂଆ ଫିଲ୍ମ ପାଇଁ ସାଇନ୍ କରିଥିବାରୁ ଖୁସିରେ ଥିଲେ ବୋଲି କୁହାଯାଉଥିଲା । ମାତ୍ର ସେ ଦେବାଳିଆ ହୋଇଯାଇଥିଲେ, ତାଙ୍କୁ ଫିଲ୍ମ ମିଳୁନଥିଲା, ସେ ମାନସିକ ଚାପରେ ରହୁଥିଲେ ଏହି ଚର୍ଚ୍ଚା କରାଯିବା ପଛର ଉଦ୍ଦେଶ୍ୟ କ’ଣ?

ତେବେ ପାଖାପାଖି ୧.୫ ଲକ୍ଷ ଟ୍ୱିଟର ହ୍ୟାଣ୍ଡେଲ ଆକ୍ଟିଭ ହୋଇ ଦେଶ ଓ ବିଦେଶରେ ସୁଶାନ୍ତଙ୍କୁ ନ୍ୟାୟ ଦାବିରେ ସ୍ୱର ଉତ୍ତୋଳନ କରାଯାଇଥିଲା । ମୁମ୍ବାଇ ପୋଲିସକୁ ବଦନାମ କରିବାକୁ ଏହି ଫେକ୍ ଆକାଉଣ୍ଟ ଖୋଲାଯାଇଥିବା କୁହାଯାଇଥିଲା । ତେବେ ଗୋଟିଏ ପଟେ ଏମ୍ସର ରିପୋର୍ଟ କହୁଛି ସୁଶାନ୍ତଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ଅନ୍ୟପଟେ ପୋଷ୍ଟ ମର୍ଟମ କରିଥିବା ବ୍ୟକ୍ତି କହୁଛନ୍ତି ତାଙ୍କ ଶରୀରରେ ଦାଗ ରହିଥିଲା । ଏଠାରେ ପ୍ରଶ୍ନ ଉଠୁଛି କିଏ କହୁଛି ସତ? ସୁଶାନ୍ତଙ୍କୁ ନ୍ୟାୟ ପାଆନ୍ତୁ, ତାଙ୍କର ଆତ୍ମାକୁ ନ୍ୟାୟ ମିଳୁ ।

Get real time updates directly on you device, subscribe now.