fbpx

ଭାରତର ଶ୍ରୀଲଙ୍କା ଗସ୍ତ, ଏହି ଦୁଇ ଖେଳାଳିଙ୍କ ପ୍ରତି ଅନ୍ୟାୟ କଲେ ଚୟନକର୍ତା !

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚର ସିରିଜ୍ ଖେଳିବ । ବିସିସିଆଇ ଏହି ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳ ଚୟନ କରିଛି । ଦଳରେ ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପ ଅଧିନାୟକ କରାଯାଇଛି । ଏଥିସହ ପାଂଚ ନେଟ୍ ବୋଲରଙ୍କୁ ଭାରତୀୟ ଦଳ ସହ ସାମିଲ କରାଯାଇଛି । ଆହତଜନିତ ସମସ୍ୟା କାରଣରୁ ଶ୍ରେୟସ ଆୟରଙ୍କୁ ଦଳରେ ଚୟନ କରାଯାଇ ନାହିଁ । କିନ୍ତୁ ଜୟଦେବ ଉନାଦକତ ଏବଂ ରାହୁଲ ତେୱତିଆଙ୍କୁ ଦଳରେ ସ୍ଥାନ ମିଳି ନାହିଁ । ଭାରତ ଇଂଲଣ୍ଡ ଗସ୍ତରେ ମଧ୍ୟ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଅର୍ଥାତ ଭାରତର ଟପ୍ ୪୦ ଖେଳାଳିଙ୍କ ମଧ୍ୟରେ ଉନାଦକତ ଓ ତେୱତିଆଙ୍କ ନାମ ନାହିଁ ।

ତିନି ବର୍ଷ ହେଲା ଉଦାନକତଙ୍କୁ ମିଳୁନି ସୁଯୋଗ

୨୯ ବର୍ଷୀୟ ଦ୍ରୁତ ବୋଲର ଉନାଦକତ ଭାରତ ପାଇଁ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲେ । ବାମହାତୀ ଏହି ଦ୍ରୁତ ବୋଲର ଭାରତ ପକ୍ଷରୁ ସାତ ଦିନିକିଆ ଓ ୧୦ ଟି-୨୦ ମ୍ୟାଚ୍ ମଧ୍ୟ ଖେଳି ସାରିଛନ୍ତି । ହେଲେ ୨୦୧୮ ପରଠୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁନାହିଁ । ଉଦାନକତଙ୍କ ପ୍ରଥମ ଶ୍ରେଣୀ ଏବଂ ଟି-୨୦ କ୍ରିକେଟରେ ରେକର୍ଡ ବହୁତ ଦମଦାର ରହିଛି । ଏହି ବୋଲର ୮୯ ଫାଷ୍ଟ କ୍ଲାସ କ୍ରିକେଟରେ ୩୨୭ ଏବଂ ୧୫୦ ଟି-୨୦ରେ ୧୮୨ ୱିକେଟ୍ ନେଇଛନ୍ତି । ୨୦୧୯-୨୦୨୦ ରଣଜୀ ଟ୍ରଫିରେ ସେ ୬୭ ୱିକେଟ୍ ହାସଲ କରିଥିଲେ ଏବଂ ନିଜ ଦଳ ସୌରାଷ୍ଟ୍ରକୁ ପ୍ରଥମ ଥର ରଣଜୀ ଚମ୍ପିଆନ କରାଇବାରେ ସଫଳ ରହିଥିଲେ । ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଉଦାନକତ ୪ ମ୍ୟାଚରୁ ୪ ୱିକେଟ୍ ନେଇଛନ୍ତି । କିନ୍ତୁ ଭାରତୀୟ ଚୟନକର୍ତା ଉନାଦକତଙ୍କ ସ୍ଥାନରେ ଚେତନ ସକାରିଆଙ୍କ ପ୍ରତି ଅଧିକ ଭରସା ପ୍ରକଟ୍ କରିଛନ୍ତି ।

ସେହିପରି ଆଇପିଏଲ ୨୦୨୦ରେ ରାଜସ୍ଥାନ ରୟାଲ୍ସର ଅଲରାଉଣ୍ଡର ରାହୁଲ ତେୱତିଆଙ୍କ ପ୍ରଦର୍ଶନ ସଭିଙ୍କ ଧ୍ୟାନ ଆକର୍ଷିତ କରିଥିଲା । ଏହି କାରଣରୁ ତେୱତିଆଙ୍କୁ ଚଳିତ ବର୍ଷ ମାର୍ଚ୍ଚରେ ସଂପନ୍ନ ଇଂଲଣ୍ଡ ବିପକ୍ଷ ପାଂଚ ମ୍ୟାଚର ଟି-୨୦ ସିରିଜ ପାଇଁ ଚୟନ କରାଯାଇଥିଲା । ହେଲେ ଏହି ଲେଗ ସ୍ପିନରଙ୍କୁ ଗୋଟିଏ ହେଲେ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିନଥିଲା । ଏହା ପରେ ଆଇପିଏଲରେ ତେୱତିଆ ନିଜର ଫର୍ମକୁ ଜାରି ରଖି ପାରିନଥିଲେ ।

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ

ଶିଖର ଧାୱନ(ଅଧିନାୟକ), ଭୁବନେଶ୍ୱର କୁମାର(ଉପଅଧିନାୟକ), ପୃଥ୍ୱୀ ସ, ଦେବଦତ ପାଡିକଲ, ଋତୁରାଜ ଗାଏକୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଇଶାନ କିଷନ, ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, କୃଷ୍ଣପା ଗୌତମ, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବୁରଣ ଚକ୍ରବର୍ତୀ, ଦୀପକ ଚହର, ନବଦୀପ ସାଇନି ଓ ଚେତନ ସକାରିଆ ।
ନେଟ୍ ବୋଲର- ଇଶାନ ପୋରେଲ, ସନ୍ଦୀପ ୱାରିୟର, ଅର୍ଶଦୀପ ସିଂହ, ସାଇ କିଶୋର ଓ ସିମରଜୀ ସିଂହ

Get real time updates directly on you device, subscribe now.