fbpx

ଯାତ୍ରୀଙ୍କ ବେକରେ ଲୁହାଛଡ଼ ପଶି ମୃତ୍ୟୁ ଘଟଣା: ମାଗିଥିଲେ ୧ କୋଟି ଓ ଚାକିରି, ମିଳିଲା ମାତ୍ର ୧୫ ହଜାର ଟଙ୍କା ସହାୟତା!

ନୂଆଦିଲ୍ଲୀ: ଦିଲ୍ଲୀରୁ କାନପୁର ଯାଉଥିବା ସମୟରେ ନୀଳାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ଜଣେ ଯାତ୍ରୀଙ୍କ ବେକରେ ଲୁହା ଛଡ଼ ପଶି ମୃତ୍ୟୁ ଘଟିଥିଲା । ଗତ ୨ ତାରିଖ ସକାଳ ୮ଟା ୪୫ ମିନିଟ ସମୟରେ ପ୍ରୟାଗରାଜ ନିକଟରେ ଗୋଟିଏ ଲୁହାଛଡ଼ ବଗିର କାଚକୁ ଭାଙ୍ଗି ଯାତ୍ରୀ ହରକେଶ ଦୁବେଙ୍କ ବେକରେ ପଶି ଯାଇଥିଲା । ଏହି ଘଟଣାକୁ ନେଇ ଅନ୍ୟ ଯାତ୍ରୀମାନେ ସ୍ତବ୍ଧ ହୋଇଯାଇଥିଲେ । ଆରପିଏଫ ଓ ଜିଆରପି ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା ।

ତେବେ ଏହି ମାମଲାରେ ଏବେ ଏକ ନୂଆ ଅପଡେଟ୍ ଆସିଛି । ମୃତକଙ୍କ ପରିବାରବର୍ଗଙ୍କୁ ରେଳବାଇ ପକ୍ଷରୁ ୧୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି, ମାତ୍ର ତାହାକୁ ପୀଡ଼ିତଙ୍କ ପରିବାର ଗ୍ରହଣ କରିନାହାନ୍ତି । ଏକ କୋଟି ଟଙ୍କାର ଆର୍ଥିକ ସହାୟତା ସହ ଚାକିରି ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଏଥିସହିତ ଏହି ମାମଲାକୁ ନେଇ ସେମାନେ କୋର୍ଟକୁ ଯିବେ ବୋଲି କହିଛନ୍ତି ।

ଏନେଇ ମୃତ ହରକେଶଙ୍କ ପିତା ସନ୍ତରାମ ଦୁବେ କହିଛନ୍ତି, ହରକେଶ ନୀଳାଞ୍ଚଳ ଏକ୍ସପ୍ରେସରେ ଦିଲ୍ଲୀରୁ ସୁଲତାନପୁର ଯାଉଥିଲେ । ଏହି ସମୟରେ ଡାବର ସୋମନା ରେଲୱେ ଷ୍ଟେସନ ମଧ୍ୟରେ ଏକ ଲୁହା ରଡ଼ ତା’ର ବେକରେ ପଶି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହରକେଶର ମୃତ୍ୟୁ ଘଟିଥିଲା । ହରକେଶର ଦୁଇଟି ଛୋଟ ଛୁଆ ଅଛନ୍ତି । ଘରେ ରୋଜଗାରକ୍ଷମ ବ୍ୟକ୍ତି କେହି ନାହାନ୍ତି । ମାତ୍ର ରେଲୱେ ତରଫରୁ ତା’ ପରିବାରକୁ ମାତ୍ର ୧୫ ହଜାର ଟଙ୍କା ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ମୃତକଙ୍କ ପରିବାର ଲୋକେ ଆଜି ହରକେଶଙ୍କ ଶବ ନେବାକୁ ଆଲିଗଡ଼ ପହଞ୍ଚିଥିବା ବେଳେ ସେଠାରେ ମୃତ୍ୟୁକାଳୀନ ସହାୟତାକୁ ନେଇ ରେଳ ଅଧିକାରୀଙ୍କ ସହିତ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା ।

Get real time updates directly on you device, subscribe now.