fbpx

ବଦଳିବ ପାଗ, କମିବ ଶୀତ ପ୍ରକେପ: ଆସନ୍ତା ୧୬ରୁ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେବ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ସୋମବାରଠାରୁ ବଦଳିବ ପାଗ। ଏହାର ପ୍ରଭାବ ଶୀତର ପ୍ରକେପ କମିବ ବୋଲି ଆକଳନ କରାଯାଇଛି । ଏପରିକି ରାତିର ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଥିବାବେଳେ ୧୬ ତାରିଖରୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନା ଅନୁଯାୟୀ ୧୬ ତାରିଖରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କେତେକ ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଶୀତରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ି ଥରିବାରେ ଲାଗିଛି । ସେଠାରେ ହାଡ଼ଭଙ୍ଗା ଶୀତ ସହ ଠାଏ ଠାଏ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା କାରଣରୁ ବୃଦ୍ଧ ବୃଦ୍ଧାମାନେ ନିଆଁଜାଳି ବସୁଥିବା ଦେଖାଯାଉଛି । ଏପରିକି ପ୍ରବଳ ଥଣ୍ଡା କାରଣରୁ ଗ୍ରାମାଞ୍ଚଳରେ ଦିନ ମଜୁରିଆଙ୍କର ଦୁଃଖ ବଢ଼ିଯାଇଛି । ଚାଷ କାମରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ଦିନତମାମ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଅନ୍ୟପକ୍ଷରେ ରବିବାର ଭୋର ସମୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇଥିବା ଦେଖିବାକୁ ମିଳିଥିଲା ।

 

 

 

 

 

 

Get real time updates directly on you device, subscribe now.